ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ଅଭିଯୋଗରେ ଅକ୍ସଫାମ୍‌ ଇଣ୍ଡିଆର ତଦନ୍ତ କରିବ ସିବିଆଇ

ବିଦେଶୀ ପାଣ୍ଠି ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ ଆସିବା ପରେ ବିଶ୍ୱସ୍ତରୀୟ ଅଣଲାଭକାରୀ ସଂସ୍ଥା (ଏନ୍‌ଜିଓ) ଅକ୍ସଫାମ୍‌ର ଭାରତୀୟ ଶାଖାର ତଦନ୍ତ କରିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ ବୈଦେଶିକ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ ଆଇନ ଲାଗୁ ହେବା ପରେ ମଧ୍ୟ ଅକ୍ସଫାମ୍‌ ଇଣ୍ଡିଆ ବିଭିନ୍ନ ସଂସ୍ଥାକୁ ପାଣ୍ଠି ପ୍ରଦାନ କରିଛି। ଏହି ଆଇନରେ ଏଭଳି କାରବାରକୁ ନିଷେଧ କରାଯାଇଛି।

ସୂତ୍ରରୁ ପ୍ରକାଶ ଯେ ଗତବର୍ଷ ଆୟକର ବିଭାଗର ଏକ ସର୍ଭେ ସମୟରେ ମିଳିଥିବା ଇମେଲରୁ ଜଣାପଡିଛି ଯେ ଅକ୍ସଫାମ୍‌ ଇଣ୍ଡିଆ ଅନ୍ୟ ଆସୋସିଏସନ୍‌ କିମ୍ବା ଲାଭଜନକ କନସଲଟାନ୍‌ସି ସଂସ୍ଥା ପାଇଁ ପାଣ୍ଠି ପ୍ରଦାନ କରି ଏଫ୍‌ସିଆରଏକୁ ଏଡ଼ାଇବାକୁ ପ୍ରଚେଷ୍ଟା କରିଛି।