ଅରୁଣାଚଳ ଗସ୍ତକୁ ନେଇ ଚୀନ୍‌ର ବିରୋଧ ଭିତରେ ଗୃହମନ୍ତ୍ରୀ ଅମିତ ଶାହା କହିଲେ, ‘ଆମ ଜମିରୁ ଛୁଞ୍ଚି ମୂନରେ ମୂନେ ସୁଦ୍ଧା କେହି ନେଇପାରିବେ ନାହିଁ’

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନର ବିରୋଧ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତର ଆଞ୍ଚଳିକ ଅଖଣ୍ଡତାକୁ କେହି ପ୍ରଶ୍ନ କରିପାରିବେ ନାହିଁ। ଏଥିସହ ସେ କହିଛନ୍ତି, ‘ଆମ ଜମିରୁ ଛୁଞ୍ଚି ମୂନରେ ମୂନେ ସୁଦ୍ଧା କେହି ନେଇପାରିବେ ନାହିଁ।’

‘ସେଦିନ ସବୁ ଚାଲିଗଲାଣି, ଯେତେବେଳେ ଲୋକମାନେ ଆମ ଜମିକୁ ଜବରଦଖଲ କରି ନେଉଥିଲେ।’ ଚୀନ୍‌ ସହ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଠାରୁ ପ୍ରାୟ ୧୧ କିଲୋମିଟର ଏବଂ ଭାରତ, ଚୀନ୍‌ ଏବଂ ମିଆଁମାର ଟ୍ରାଇ-ଜଙ୍କସନ୍‌ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଅରୁଣାଚଳ ପ୍ରଦେଶର ସୀମାନ୍ତ ଗ୍ରାମ ଅଞ୍ଜାଓ ଜିଲ୍ଲାର କିବିଥୁରୁ ‘ଭାଇବା୍ରଣ୍ଟ ଭିଲେଜ୍‌ ପ୍ରୋଗ୍ରାମ୍‌’ର ଶୁଭାରମ୍ଭ କରିବା ଅବସରରେ ଆଜି ମନ୍ତ୍ରୀ ଶ୍ରୀ ଶାହା ଏକଥା କହିଛନ୍ତି।

ଅନ୍ୟପକ୍ଷରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍‌ ଦୃଢ଼ ବିରୋଧ କରିଛି ଏବଂ ଏହି ଅଞ୍ଚଳରେ ମନ୍ତ୍ରୀ ଶ୍ରୀ ଶାହାଙ୍କ କାର୍ଯ୍ୟକଳାପକୁ ବେଜିଂର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କହିଛନ୍ତି।