ଆଗାମୀ ୩ ଦିନ ଧରି ଓଡ଼ିଶାର କେତେକ ଜିଲ୍ଲାରେ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ

ଉତ୍ତରପଶ୍ଚିମା ଓ ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଏବଂ ଅଧିକ ସୌର ବିକିରଣ ଯୋଗୁଁ ଅଭ୍ୟନ୍ତରୀଣ ଓଡ଼ିଶାର ଅନେକ ପ୍ରାନ୍ତରେ ଆଗାମୀ ୨ ଦିନ ଧରି ଦିନ ବେଳାର ତାପମାତ୍ରା ଆହୁରି ୨ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ଥିବା କଥା ଆଜି ଭୁବନେଶ୍ବରସ୍ଥିତ ପାଣିପାଗ ବିଜ୍ଞନ କେନ୍ଦ୍ର ଜାରି କରିଥିବା ‘ପ୍ରେସ୍‌ ବିଜ୍ଞପ୍ତି’ରୁ ଜଣାପଡ଼ିଛି।

ଦୁଇ ଦିନ ପରେ ମଧ୍ୟ ପାଣିପାଗରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଫଳରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ହେବା ସହିତ ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରି ଅଧିକ ରହିପାରେ।

ତେଣୁ, ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ଯିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।