ଗ୍ରୀଷ୍ମ ପ୍ରବାହ ପାଇଁ ପଶ୍ଚିମବଙ୍ଗରେ ଆଉ ‌ଗୋଟିଏ ସପ୍ତାହ ବନ୍ଦ ରହିବ ସ୍କୁଲ ଓ କଲେଜ

ଗ୍ରୀଷ୍ମ ପ୍ରବାହ ପାଇଁ ପଶ୍ଚିମବଙ୍ଗରେ ଆଉ ‌ଗୋଟିଏ ସପ୍ତାହ ବନ୍ଦ ରହିବ ସ୍କୁଲ ଓ କଲେଜ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ଘୋଷଣା କରିଛନ୍ତି ଯେ ତାପମାତ୍ରା ଅଧିକ ଥିବାରୁ ପରିସ୍ଥିତିକୁ ଦେଖି ଆସନ୍ତା ସପ୍ତାହରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲରୁ ଫେରିବା ପରେ ପିଲାମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଥିବା ସାମ୍ନାକୁ ଆସିଥିଲା। ଏହି କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ବେଳେ ଏହି ନିଷ୍ପତ୍ତି ସମ୍ପର୍କରେ ଖୁବ ଶୀଘ୍ର ଏକ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି। ଏହା ସହ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦରକାର ନଥିଲେ ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାରେ ଅସନ୍ତାକାଲିଠୁ ସ୍କୁଲ ଖୋଲିବ ବୋଲି ଜଣାପଡ଼ିଛି। ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ସମେତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେବ। ଅଙ୍ଗନବାଡ଼ିରେ ପାଠପଢା ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏପ୍ରିଲ ୧୭ରୁ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପ୍ରଥମରୁ ଦ୍ବାଦଶ ‌ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ। ତେବେ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସୋମବାର ଓ ମଙ୍ଗଳବାର ସ୍କୁଲ ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ସ୍କୁଲ ଛୁଟିକୁ ୨ ଦିନ ପାଇଁ ବଢ଼ାଇ ଦିଆଯାଇଛି।