ଭଟିଣ୍ଡା ଯବାନ ହତ୍ୟା ଘଟଣା : ଅପ୍ରାକୃତିକ ଯୌନ ସମ୍ପର୍କ ଦାବିରେ ଅତିଷ୍ଠ ହୋଇ ଚରମ ପଦକ୍ଷେପ ନେଲେ କି ଅଭିଯୁକ୍ତ ?

ପଞ୍ଜାବ ପୁଲିସ ସୋମବାର କହିଛି ଯେ ଭଟିଣ୍ଡା ମିଲିଟାରି ଷ୍ଟେସନରେ ଏପ୍ରିଲ ୧୨ରେ ଘଟିଥିବା ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ୪ ଜଣ ଯବାନଙ୍କୁ ଶୋଇଥିବା ସମୟରେ ଗୁଳି କରି ହତ୍ୟା କରିଥିବା ସେନା ବନ୍ଧୁକଧାରୀ ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏପରି କରିଛନ୍ତି।

ଅନ୍ୟପକ୍ଷରେ ୪ ଜଣ ଯବାନଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଆର୍ମି ଗାର୍ଡ ଅପ୍ରାକୃତିକ ଯୌନ ସମ୍ପର୍କ ଦାବିରେ ଅତିଷ୍ଠ ହୋଇ ଏହି ଚରମ ପଦକ୍ଷେପ ନେଇଛନ୍ତି ବୋଲି ପଞ୍ଜାବ ପୁଲିସର ଜଣେ ଶୀର୍ଷ ଅଧିକାରୀ  ଜାତୀୟ ଗଣମାଧ୍ୟମ ‘ନିଉଜ୍ ୧୮’  କହିଛନ୍ତି। ଭଟିଣ୍ଡା ମିଲିଟାରି ଷ୍ଟେସନରେ ସଂପୃକ୍ତ ୪ ଜଣ ଯବାନଙ୍କ ଦ୍ୱାରା ଅଭିଯୁକ୍ତ ମୋହନ ଦେଶାଇ ଉପରେ ଲଗାତାର ଅପ୍ରାକୃତିକ ଯୌନ ନିର୍ଯାତନାକୁ ନେଇ ସେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଭଟିଣ୍ଡାର ଏସଏସପି ଗୁଲନୀତ ଖୁରାନା କହିଛନ୍ତି ଯେ ସେନା ବନ୍ଧୁକଧାରୀଙ୍କୁ ନିରନ୍ତର ପଚରାଉଚରା ପରେ ସେ ଇନସାସ ରାଇଫଲ ଚୋରି କରିବା ସହ ତାଙ୍କ ୪ ଜଣ ସହଯୋଗୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଦୀର୍ଘ ପଚରାଉଚରା ପରେ ଆମେ ଜାଣିବାକୁ ପାଇଲୁ ଯେ ଗୋଟିଏ ଅସ୍ତ୍ର ଚୋରି ହୋଇଛି ଏବଂ ତାହା ଯବାନଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିଲା।