ଲୋକଙ୍କ ଜୀବନ ବିପଦରେ.. ରାଜନୀତି କରନ୍ତୁ ନାହିଁ : ସିଦ୍ଧରାମୈୟାଙ୍କୁ କହିଲେ ଜୟଶଙ୍କର

ସୁଦାନରେ ଫସି ରହିଥିବା କର୍ଣ୍ଣାଟକର ୩୧ ଆଦିବାସୀଙ୍କୁ ଉଦ୍ଧାର କରିବାକୁ କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ଟୁଇଟକୁ ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ନିଜର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ସୁଦାନରେ ଭାରତୀୟଙ୍କ ଜୀବନ ସଂକଟରେ ରହିଛି, ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ ।

ଗତ ୧୪ ତାରିଖରେ ଲଢେଇ ଆରମ୍ଭ ହେବା ପରଠାରୁ ସୁଦାନରେ ଥିବା ଭାରତୀୟଙ୍କ ସହ ସେଠାକାର ଦୂତାବାସ ସଂପର୍କ ରଖିଛି । ସୁରକ୍ଷା କାରଣରୁ ସେମାନଙ୍କ ଠିକଣାକୁ ସାର୍ବଜନୀନ କରାଯାଇପାରିବ ନାହିଁ । ଏହି ଜଟିଳ ପରିସ୍ଥିତିରେ ସେମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ଏହି ପରିସ୍ଥିତିର ରାଜନୀତିକରଣ କରିବା ଆପଣଙ୍କ ଦାୟିତ୍ବହୀନତା । ଲୋକଙ୍କ ଜୀବନକୁ ବିପଦରେ ପକାଇ ରାଜନୀତି କରାଯିବା ଉଚିତ ନୁହେଁ ।

ସୂଚନାଯୋଗ୍ୟ ଯେ, ଯୁଦ୍ଧଗ୍ରସ୍ତ ସୁଦାନରେ ଫସି ରହିଥିବା ରାଜ୍ୟର ହକ୍କି-ପିକି (ଆଦିବାସୀ) ଜନଜାତିର ୩୧ ଜଣଙ୍କୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ। ସେ ଏକାଧିକ ଟ୍ୱିଟ୍ କରି ଭାରତ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରି ସୁଦାନରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ  ।