ଆଜି ବିଲ୍‌କିସ୍‌, ଆସନ୍ତାକାଲି…? ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କ ମୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମ୍‌କୋର୍ଟ

ବହୁଚର୍ଚ୍ଚିତ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଛାଡ଼ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କେନ୍ଦ୍ର ଓ ଗୁଜରାଟ ସରକାର ଚାଲେଞ୍ଜ କରିପାରନ୍ତି! ଏହି ମାମଲାରେ ସରକାର ନିଜର ‘ସ୍ୱାଧିକାର’ (ପ୍ରିଭିଲେଜ୍‌) ଦର୍ଶାଇ ୧୧ ଜଣ ଦୋଷୀଙ୍କ ଦଣ୍ଡାଦେଶ ଛାଡ଼ ସହ ଜଡ଼ିତ ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରିବାକୁ ଚାହୁଁନାହାନ୍ତି ବୋଲି ଦର୍ଶାଇଛନ୍ତି।

୨୦୦୨ ଗୁଜରାଟ ଦଙ୍ଗା କାଳରେ ନିଜେ ଗଣଦୁଷ୍କର୍ମର ଶିକାର ହେବା ସହ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ବିଲକିସ୍‌ ବାନୋ ଗତବର୍ଷ ନଭେମ୍ବରରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦେଶର ଶୀର୍ଷ ଅଦାଲତରେ ସେ କରିଥିବା ଆବେଦନରେ କହଥିଲେ ଯେ ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କର ସରକାର ଦଣ୍ଡଛାଡ଼ କରି ସେମାନଙ୍କୁ ମୁକ୍ତ କରିଦେବା ଘଟଣା ସମାଜର ବିବେକକୁ ଦୋହଲାଇ ଦେଇଛି। ଗତ ମାର୍ଚ୍ଚ ୨୭ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ସଂପୃକ୍ତ ଅପରାଧୀମାନଙ୍କର ଦଣ୍ଡାଦେଶ ଛାଡ଼ ପାଇଁ ଉଭୟ ଗୁଜରାଟ ସରକାର ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସଂପର୍କିତ ସମସ୍ତ ନଥିପତ୍ର ଓ ଦସ୍ତାବିଜ ସମ୍ବଳିତ ଫାଇଲ୍‌କୁ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।