ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ନିକଟରେ ଏକ ଡ୍ରୋନ୍ ଉଡୁଥିବାର ଦେଖାଯାଇଛି। ତାଙ୍କ ଘର ନୋ ଫ୍ଲାଏ ଜୋନରେ ଆସିଥାଏ। ଏହା ସତ୍ତ୍ବେ ତାଙ୍କ ଘର ନିକଟରେ ଡ୍ରୋନ ଉଡ଼ିବାରୁ ବର୍ତ୍ତମାନ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି।
ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା କ୍ଷେତ୍ରରେ ତ୍ରୁଟି ଦେଖା ଦେବା ଘଟଣା ପ୍ରଥମ ନୁହେଁ। ଗତ ବର୍ଷ ମାର୍ଚ୍ଚରେ କିଛି ଲୋକ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ତା’ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି କହିଥିଲେ ଯେ କିଛି ଅସାମାଜିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରି ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ପ୍ରତିବନ୍ଧକ ଭାଙ୍ଗିଛନ୍ତି। ଏହା ବ୍ୟତୀତ ଗେଟରେ ଥିବା ବୁମ୍ ବ୍ୟାରିୟର ମଧ୍ୟ ଭାଙ୍ଗିଦିଆଯାଇଛି।