ଲଣ୍ଡନରେ ଜଗନ୍ନାଥପ୍ରେମୀଙ୍କୁ ସମ୍ବୋଧନ କଲେ ଗଜପତି ଦିବ୍ୟସିଂହ ଦେବ; ଜଗନ୍ନାଥ ମନ୍ଦିର ନିର୍ମାଣ ଲାଗି ଓଡ଼ିଆ ଶିଳ୍ପପତି ଦେବେ ୨୫ ନିୟୁତ ପାଉଣ୍ଡ୍

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେହି ନିରାକାର କହିପାରନ୍ତି, କିନ୍ତୁ ବାସ୍ତବରେ ସେ ହେଉଛନ୍ତି ସାକାର | ମହାପ୍ରଭୁଙ୍କୁ ସମସ୍ତ ଧର୍ମର ଲୋକ ଇଷ୍ଟଦେବ ଭାବେ ଦେଖିପାରନ୍ତି | ମହାପ୍ରଭୁଙ୍କୁ ଦେଖିଲେ ଓ ରଥଯାତ୍ରାରେ ମହାପ୍ରଭୁ ଯେଭଳି ଭକ୍ତଙ୍କ ସହ ମିଶନ୍ତି ଏଥିରୁ ମହାପ୍ରଭୁ ମନେପକାଇଦିଅନ୍ତି ଯେ ବସୁଧୈବ କୁଟୁମ୍ବକମ୍ | ଏହାକୁ ଯଦି ଆମେ ବୁଝିପାରିବା ଆଜିକାର ସମୟରେ ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରହିବ |

ବ୍ରିଟେନର ଲଣ୍ଡନରେ କିଛି ଏଭଳି କହିଛନ୍ତି ମହାରାଜା ଗଜପତି ଦିବ୍ୟସିଂହ ଦେବ | ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ପକ୍ଷରୁ ଆୟୋଜିତ ପ୍ରଥମ ଶ୍ରୀଜଗନ୍ନାଥ କନଭେନସନରେ ମହାପ୍ରଭୁଙ୍କ ଆଦ୍ୟସେବକ ଏହା କହିଛନ୍ତି | ୟୁରୋପରେ ପ୍ରଥମ ଥର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଜଗନ୍ନାଥପ୍ରେମୀ ଯୋଗ ଦେଇଥିବାବେଳେ ୟୁନାଇଟେଡ଼ କିଙ୍ଗଡମ, ଆୟର୍ଲାଣ୍ଡର ଭକ୍ତମାନେ ଯୋଗ ଦେଇଥିଲେ |

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୁତି ଏବଂ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ବାବଦରେ ଗଜପତି ଦିବ୍ୟସିଂହ ଦେବ ବକ୍ତବ୍ୟ ରଖିଥିବାବେଳେ ଲଣ୍ଡନର ନଭନାଟ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଭାରତର ଡେପୁଟି ହାଇକମିସନର ସୁଜିତ ଘୋଷ, ଜଣାଶୁଣା ଲେଖକ ଅମିସ ତ୍ରିପାଠୀ, ହିନ୍ଦୁ ଫୋରମ ବ୍ରିଟେନର ଅଧ୍ୟକ୍ଷା ଶ୍ରୀମତୀ ତୃପ୍ତି ପଟେଲ ଯୋଗ ଦେଇଥିଲେ |