ଘୃଣ୍ୟ ଭାଷଣ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟ

ଘୃଣ୍ୟ ଭାଷଣ ପ୍ରସଙ୍ଗରେ ଆଜି (ଶୁକ୍ରବାର) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ। ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ପୁଲିସକୁ ଘୃଣ୍ୟ ଭାଷଣ ମାମଲା ବିରୋଧରେ ସ୍ୱୟଂଚାଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୨୦୨୨ରେ ଦେଇଥିବା ଆଦେଶର ପରିସରକୁ ସୁପ୍ରିମ୍‌କୋର୍ଟ ଆଜି ବଢ଼ାଇ ଦେଇଛନ୍ତି। କୌଣସି ଅଭିଯୋଗ ନ କଲେ ମଧ୍ୟ ଘୃଣ୍ୟ ଭାଷଣ ଉପରେ ମାମଲା ରୁଜୁ କରିବାକୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଯଦି ମାମଲା ରୁଜୁ କରିବାରେ ବିଳମ୍ବ ହୁଏ ତେବେ ଏହାକୁ ଅଦାଲତ ଅବମାନନା ଭାବେ ବିବେଚନା କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

ଏହା ଏକ ଗମ୍ଭୀର ଅପରାଧ ବୋଲି ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଘୃଣ୍ୟ ଭାଷଣ ଦେଶର ଧର୍ମନିରପେକ୍ଷ ଢାଞ୍ଚାକୁ ପ୍ରଭାବିତ କରିବାରେ ସକ୍ଷମ। ଘୃଣ୍ୟ ଭାଷଣ ପ୍ରସଙ୍ଗରେ ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଘୃଣ୍ୟ ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ଦାଏର ହୋଇଥିବା ଅବମାନନା ଆବେଦନ ଉପରେ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କୁ ଜବାବ ମାଗିଥିଲେ। ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ କେଏମ୍‌ ଜୋସେଫ୍‌ ଓ ଜଷ୍ଟିସ୍‌ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ତାଙ୍କ ରାୟରେ କହିଛନ୍ତି ଯେ ଏହି ମାମଲାରେ ଆମେ ଆହୁରି ସ୍ପଷ୍ଟ କରୁଛୁ ଯେ ଘୃଣ୍ୟ ଭାଷଣ ପ୍ରସଙ୍ଗରେ ଧର୍ମ ନିର୍ବିିଶେଷରେ ଏଭଳି ପଦକ୍ଷେପ ନିଆଯାଉ, ଯାହାଦ୍ୱାରା ସମ୍ବିଧାନର ପ୍ରସ୍ତାବନା ଅନୁଯାୟୀ ଭାରତର ଧର୍ମନିରପେକ୍ଷ ଚରିତ୍ର ବଜାୟ ରହିବ।