ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଜାମିନ ପାଇ ଘରକୁ ଫେରିବେ ବୋଲି ଆଶା ରଖିଥିବା ସିସୋଦିଆଙ୍କୁ ଝଟକା। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଶୁକ୍ରବାର ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଏମ୍.କେ ନାଗପାଲ, ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ବର୍ତ୍ତମାନ ସିସୋଦିଆ ନିମ୍ନ ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବେ ବୋଲି ଜଣାପଡ଼ିଛି। କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାମିନ ଆବେଦନକୁ ବିରୋଧ କରିଥିଲା। ଇଡି ପକ୍ଷରୁ କୁହାଯାଇଥିଲା ‌ଯେ, ଏବେ ଅନୁସନ୍ଧାନ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ରହିଛି। ବରିଷ୍ଠ ଆପ୍ ନେତା ଅବକାରୀ ନୀତିରେ ଜନସାଧାରଣଙ୍କ ଅନୁମୋଦନ ଥିବା ଦର୍ଶାଇ ଏକ ଇମେଲ ପ୍ରସ୍ତୁତ କରିଥିଲେ। ଜାମିନ ମିଳିଲେ ସେ ପ୍ରମାଣ ନଷ୍ଟ କରିପାରନ୍ତି ବୋଲି ଇଡି କୋର୍ଟକୁ କହିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିିଥିବା ଜଣାପଡ଼ିଛି।