ମାଟ୍ରିକ ପରୀକ୍ଷାରେ ୯୦.୫୫ ପ୍ରତିଶତ ପାସ ହାର, ଏଥର ବି ବାଜିମାତ କଲେ ଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷା । ଚଳିତ ଥର ପାସ ହାର ରହିଛି ୯୦.୫୫ ପ୍ରତିଶତ । ୮୬୯୯ ଛାତ୍ର ଛାତ୍ରୀ ଫେଲ ହୋଇଛନ୍ତି। ସବୁ ଥର ଭଳି ଝିଅ ମାନେ ବାଜିମାତ କରିଛନ୍ତି । ପାସହାରରେ ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି।
ଏଥର ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି | ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ଛାତ୍ରଙ୍କ ପାସ ହାର ୮୮.୭୭ ପ୍ରତିଶତ। ସେହିପରି ୨ ଲକ୍ଷ ୬୦ ହଜାର ୯୭୦ ଛାତ୍ରୀ ପରୀକ୍ଷା ଦେଇଥିଲେ। ଛାତ୍ରୀ ଙ୍କ ପାସ ହାର ରହିଛି ୯୨.୩୭ ପ୍ରତିଶତ।

ରାଜ୍ୟର ସମୁଦାୟ ୮ ହଜାର ୯୨୫ଟି ବିଦ୍ୟାଳୟର ପିଲା ପରୀକ୍ଷା ଦେଇଥିବା ବେଳେ ତିନିଟି ବିଦ୍ୟାଳୟରେ ରେଜଲ୍ଟ ଶୂନ୍ୟ | ଅର୍ଥାତ ଏହି ତିନିଟି ବିଦ୍ୟାଳୟର କେହି ବି ପିଲା ପାସ କରିନାହାନ୍ତି | ମାଲକାନଗିରି ଜିଲ୍ଲାର ଦୁଇଟି ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ସ୍କୁଲରେ ଫଳ ଶୂନ ରହିଛି। ସବୁ ଠାରୁ ବଡ କଥା ୧୧୭୦ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି |

ଏଥର ପରୀକ୍ଷାରେ ୫ ଲକ୍ଷ ୧୭ ହଜାର ୮୪୭ ପିଲା ପାସ କରିଥିବା ବେଳେ ୮ ହଜାର ୬୯୯ ଜଣ ଫେଲ ହୋଇଛନ୍ତି | ସେମଧ୍ୟରୁ ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର, ୨ ଲକ୍ଷ ୬୦ ହଜାର ୯୭୦ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି |

୮୧୧୯ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ-୨ରେ ୫୪ ହଜାର ୮୮୯ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ମୋଟାମୋଟି କହିବାକୁ ଗଲେ ଚଳିତ ଥର ଭଲ ଫଳାଫଳ ହୋଇଛି। ଯେଉଁମାନଙ୍କର ପରୀକ୍ଷା ଫଳାଫଳକୁ ନେଇ ମନରେ ଅସନ୍ତୋଷ ରହୁଛି ସେମାନେ ଆସନ୍ତା ଜୁଲାଇ ୧୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରି-ଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ |

ବୋର୍ଡ଼ ମୁଖ୍ୟ କାର୍ଯ୍ୟାଳୟଠାରେ ଫଳାଫଳ ପ୍ରକାଶ ପାଇଥିଲା।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଓ ଗଣଶିକ୍ଷା ବିଭାଗ ମୁଖ୍ୟ ଶାସନ ସଚିବ ଵିଷ୍ଣୁପଦ ସେଠି ଉପସ୍ଥିତ ଥିଲେ। ଏଥି ସହିତ ସଭାପତି ରାମାସିସ ହାଜରା, ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ, ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ମଧ୍ଯ ଫଳ ପ୍ରକାଶ ସମୟରେ ଉପସ୍ଥିତ ଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସମେତ ଅନ୍ୟ ଅଧିକାରୀ ମାନେ
ମାଟ୍ରିକ, ମଧ୍ୟମା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିଥିଲେ। ଦୀର୍ଘ ଦୁଇ ବର୍ଷ ପରେ ପିଲାମାନେ ଅଫ୍ ଲାଇନ୍ ରେ ପରୀକ୍ଷା ଦେଇଥିଲେ। ଏଥର ନୂଆ ପଦ୍ଧତିରେ ପରୀକ୍ଷାକୁ ସାମ୍ନା କରିଥିଲେ ଛାତ୍ର ଛାତ୍ରୀ।