‘ଆମେ ଜାଣିଛୁ ଆମେ କଣ କରୁଛୁ’ ଉଦ୍ଧବଙ୍କ ଗୋଷ୍ଠୀକୁ ପରୋକ୍ଷରେ ଟାର୍ଗେଟ କଲେ ଶରଦ

ଆଜି ପରୋକ୍ଷରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର | ଉଦ୍ଧବଙ୍କ ଶିବସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ନେତା ପୃଥ୍ଵୀରାଜ ଚୌହାନଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି। ବାସ୍ତବରେ ଗତକାଲି ସାମନାର ସମ୍ପାଦକୀୟରେ ଲେଖାଯାଇଥିଲା ଯେ ଶରଦ ପାୱାର ତାଙ୍କ ଉତ୍ତରାଧିକାରୀଙ୍କୁ ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି ଯିଏ ତାଙ୍କ ପାର୍ଟିକୁ ଆଗକୁ ନେବେ।

ଆଉ ଏହାପରେ ଶରଦ ପାୱାର କହିଛନ୍ତି ଯେ ଅନ୍ୟମାନେ ତାଙ୍କ ବିଷୟରେ କ’ଣ ଲେଖନ୍ତି ସେଥିପ୍ରତି ତାଙ୍କର ଧ୍ୟାନ ନାହିଁ ଏବଂ ସେ ଯେଉଁମାନଙ୍କୁ ପ୍ରସ୍ତୁତ କରିଛନ୍ତି, ସେମାନେ ସେମାନଙ୍କର ଯୋଗ୍ୟତା ପ୍ରମାଣ କରିସାରିଛନ୍ତି। ରିପୋର୍ଟ ଅନୁଯାୟୀ, ସତାରାରେ ଶରଦ ପାୱାର କହିଛନ୍ତି ଯେ, ‘ଆମ ବିଷୟରେ ଯାହା ଲେଖାଯାଉଛି, ତାହାକୁ ଆମେ ଗୁରୁତ୍ୱ ଦେଉନାହୁଁ | ଆମେ ଉତ୍ତରାଧିକାରୀ ପ୍ରସ୍ତୁତ କରିଛୁ ନା ନାହିଁ, ସେମାନେ ଯାହା ଭାବୁଛନ୍ତି ସେୟା ଲେଖୁଛନ୍ତି ସେଥିପ୍ରତି ଗୁରୁତ୍ୱ ଦେଉ ନାହୁଁ। ଏହା କରିବା ସେମାନଙ୍କର ଅଧିକାର। ଆମେ ଏହାକୁ ଅଣଦେଖା କରୁ | ଆମେ ଜାଣୁ ଆମେ କଣ କରୁଛୁ | ଏଥିରୁ ଆମେ ସନ୍ତୁଷ୍ଟ ହେଉଛୁ’।