ଚେକ୍ ବାଉନ୍ସ ଘଟଣାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କେବଳ ଅଧିକାରୀ ନୁହନ୍ତି, ମାମଲାରେ କମ୍ପାନିକୁ କରାଯିବ ପକ୍ଷଭୁକ୍ତ
ଚେକ୍ ବାଉନ୍ସ ପ୍ରସଂଗରେ ହାଇକୋର୍ଟ ଗୁରୁ୍ତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଚେକ୍ ବାଉନ୍ସ ଘଟଣାରେ ଯଦି ଅଭିଯୁକ୍ତ କମ୍ପାନିକୁ ପକ୍ଷଭୁକ୍ତ ନ କରି କେବଳ ଏହାର ନିର୍ଦ୍ଦେଶକଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବ ତେବେ ଅଭିଯୋଗ ଗ୍ରହଣୀୟ ହେବ ନାହିଁ। ଅଭିଯୋଗକାରୀଙ୍କ ନିକଟରୁ ଧାନ କିଣିଥିବା କମ୍ପାନିକୁ ମାମଲାରେ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ କରାଯାଇ ନଥିଲା। ଏଥି ସହିତ ଯେଉଁ କମ୍ପାନି ତରଫରୁ ଅଭିଯୋଗକାରୀଙ୍କୁ ଚେକ୍ ଦିଆଯାଇଥିଲା ତାକୁ ମାମଲାରେ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ ନ କରି ଏହାର ନିର୍ଦ୍ଦେଶକଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା।
ଘଟଣା ବେଳେ ସଂପୃକ୍ତ ନିର୍ଦ୍ଦେଶକ କେଉଁ ଦାୟିତ୍ବରେ ଥିଲେ ଓ ସେହି ସମୟରେ କିଭଳି ଭାବେ କମ୍ପାନିର କାରବାର ପାଇଁ ଦାୟୀ ଥିଲେ ସେ ନେଇ ଅଭିଯୋଗକାରୀ କିଛି ଉଲ୍ଲେଖ କରି ନଥିଲେ। ଏଭଳି ସ୍ଥିତିରେ କେବଳ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ଗ୍ରହଣୀୟ ହେବ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଭଦ୍ରକ ଏସଡିଜେଏମ ଅଦାଳତଙ୍କ ୨୦୧୯, ଜୁଲାଇ ୯ର କଗନିଜାନ୍ସ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.ସି.ରଥଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।