ଆସନ୍ତା ୧୮ ତାରିଖରେ ଆରମ୍ଭ ହେବ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍

ସପ୍ତାହରେ ୬ ଦିନ ଚାଲିବ ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ

ପତାକା ଉତ୍ତୋଳନରେ ଯୋଗ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର : ଓଡ଼ିଶାରେ ଆସନ୍ତା ୧୮ ତାରିଖରେ ଆରମ୍ଭ ହେବ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ସପ୍ତାହରେ ୬ ଦିନ ଚାଲିବ। ମିଳିଥିବା ସୂଚନା ଅନୁଯାୟୀ, ଏହି ଟ୍ରେନରେ ସମୁଦାୟ ୭(୭) ଷ୍ଟପେଜ୍ ରହିବ। ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ତରଫରୁ ଷ୍ଟପେଜ୍ ବିଷୟରେ ସୂଚନା ଦିଆଯାଇଛି । ଆସନ୍ତା ୧୮ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏହା ସହ ବନ୍ଦେ ଭାରତ ଏକ୍ସପ୍ରେସର ପତାକା ଉତ୍ତୋଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି।

ଏପ୍ରିଲ ୨୮ତାରିଖରେ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ପୂର୍ଣ୍ଣାଙ୍ଗ ପରୀକ୍ଷଣ ହୋଇଥିଲା ଓ ଏହା ସଫଳ ହୋଇଥିଲା। ଟ୍ରେନର ପରୀକ୍ଷାମୂଳକ ରୁଟ୍ ହାୱଡ଼ାରୁ ପୁରୀ ଓ ପରେ ଫେରିଥିଲା। ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ସକାଳ ୬ଟା ୧୦ରେ ହାୱଡ଼ାରୁ ବାହାରିଥିଲା। ଏହାପରେ ଏହା ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ ଷ୍ଟେସନରେ ଏହା ୨ ମିନିଟ୍ ପାଇଁ ଅଟକିଥିଲା । ଏହାପରେ ଏହା ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପହଞ୍ଚି ୨ ମିନିଟ୍ ଲେଖାଏଁ ଅଟକିଥିଲା। ଏହାପରେ ଟ୍ରେନ୍ ଦିନ ୧୨ଟା ୩୨ରେ ପୁରୀରେ ପହଞ୍ଚିଥିଲା। ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ପୂର୍ଣ୍ଣ ପରୀକ୍ଷଣ ପରେ ଏପ୍ରିଲ ୨୮ ତାରିଖରେ ଓଡ଼ିଶା ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ। ଚିଠିରେ ସେ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ସଂଖ୍ୟା ଅତି କମରେ ୩କୁ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ।

ସେ ଲେଖିଥିଲେ ଯେ,” ଲୋକଙ୍କ ବଢୁଥିବା ଆକାଂକ୍ଷାକୁ ପୂରଣ କରିବା ପାଇଁ ଓଡ଼ିଶା ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଯାତ୍ରୀମାନଙ୍କୁ ଦ୍ରୁତ ଯାତ୍ରା ର ବିକଳ୍ପ ପ୍ରଦାନ କରିବା ପାଇଁ ପୁରୀ-ହାଓଡ଼ା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବାକୁ ଅନୁରୋଧ କରାଯାଇଛି।