ଓଇଏସ୍ ପରୀକ୍ଷାରେ ନୟାଗଡ଼ର ବାଜିମାତ୍
ଏହି ସଫଳତାରେ ନୟାଗଡ଼ ଜିଲ୍ଲା ଗର୍ବିତ
ଅଦ୍ଭୁତ ସଫଳତାରେ ୭ ଉତିର୍ଣ୍ଣ; ଛଅ ମହିଳା,ଜଣେ ପୁରୁଷ
ନୟାଗଡ଼,୧୬/୫:ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୭ ଜଣ ପାଇଛନ୍ତି ଓଇଏସ। ସେମାନଙ୍କ ମଧ୍ୟରେ ୬ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ଏହା ଜିଲ୍ଲା ପାଇଁ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା ବେଳେ ସେମାନଙ୍କ ଏହି ଅଭୂତପୂର୍ବ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଯାଜ୍ଞସେନୀ ସାହୁ ଓଇଏସ ପରୀକ୍ଷାରେ ୧୮ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକ ଲେଖନପୁର ଗ୍ରାମର ପିତା ନୀଳକଣ୍ଠ ସାହୁ ଏବଂ ମାତା ସଞ୍ଜୁବାଳା ସାହୁଙ୍କ ସେ ଝିଅ ଅଟନ୍ତି। ଯାଜ୍ଞସେନୀ ନିଜ ଅଜା ଘର ଚମ୍ପେଇଲୋ ଗ୍ରାମରେ ରହି ପାଠ ପଢ଼ୁଥିବା ବେଳେ ସମଗ୍ର ଜିଲ୍ଲାରେ ପ୍ରଥମ ହୋଇଛନ୍ତି। ସେହିପରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହେନ୍ଦ୍ର ସାହୁ ଓ ସୁପ୍ରିୟା ସାହୁଙ୍କ ସୁକନ୍ୟା ଅମ୍ରିତା ସାହୁ ୧୯ତମ ସ୍ଥାନରେ ଓଇଏସରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୁପ୍ରିୟା ବର୍ତ୍ତମାନ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ କୁରାଳ ସେକ୍ଟର ସୁପରଭାଇଜର ଲିପସା ନନ୍ଦ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ହୋଇଥିବା ଏହି ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ୨୩ତମ ସ୍ଥାନରେ ଉତ୍ତୀର୍ଣ୍ଣ
ହୋଇଛନ୍ତି।ତାଙ୍କ ବାପଘର ଇଟାମାଟି ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଶାସନ ହୋଇଥିବାବେଳେ ତାଙ୍କ ଶାଶୁଘର ଓଡ଼ଗାଁ ବ୍ଳକ ଅନ୍ତର୍ଗତ ପନ୍ନିଖାରୀ ଶାସନ ଗ୍ରାମରେ।
ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା କାଳନ୍ଦୀ ସୁରୁଜ ବିଦ୍ୟାପୀଠର ଶିକ୍ଷୟତ୍ରୀ ମୁନରାଣୀ ମହାନ୍ତି ଏହି ପରୀକ୍ଷାରେ ୫୫ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ମହାନ୍ତି ଓ ନିଶାମଣି ମହାନ୍ତିଙ୍କ ସୁକନ୍ୟା ଅଟନ୍ତି। ସେହିପରି ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ ଗ୍ରାମର ହୁଲ୍ଲା ପ୍ରଧାନଙ୍କ ସୁପୁତ୍ର ପିଣ୍ଟୁ କୁମାର ପ୍ରଧାନ ୫୯ତମ ସ୍ଥାନରେ ରହି ଓଇଏସ ସଫଳତା ପାଇଛନ୍ତି। ଜଣେ ନିମ୍ନ ମଧ୍ୟବିତ୍ତ ଚାଷୀ ପରିବାରରୁ ଆସିଥିବା ପିଣ୍ଟୁଙ୍କର ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଅନ୍ୟପକ୍ଷରେ ରଣପୁର ବ୍ଲକ ଅନ୍ତର୍ଗତ ସୁନଖଳା ନିକଟ ବଧିପାଟଣା ଗ୍ରାମର ଶ୍ରୀଧର ପୃଷ୍ଟି ଏବଂ ମଂଜୁଲତା ପୃଷ୍ଟିଙ୍କ ସୁକନ୍ୟା ମଧୁସ୍ମିତା ପୃଷ୍ଟି ରାଜ୍ୟସ୍ତରରେ ୭୧ତମ ସ୍ଥାନରେ ରହି ଓଇଏସ ପାଇଛନ୍ତି।ସମ୍ପ୍ରତି ସେ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ବର୍ତ୍ତମାନ ଫୁଲବାଣୀ ସରକାରୀ କଲେଜରେ ଅଧ୍ୟାପିକା ଥିବା ମୋନାଲିସା ରଥ ଏହି କ୍ରମରେ ୭୫ତମ ସ୍ଥାନରେ ଓଇଏସ ପରୀକ୍ଷାରେ ସଫଳତା ପାଇଛନ୍ତି।ପୂର୍ବରୁ ସେ ନୟାଗଡ ବ୍ଲକ ବାଲୁଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ, ପରେ ୨୦୨୨ ମସିହାରେ ନାରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ଇଟାମାଟିରେ ଚୁକ୍ତିଭିତିକ ଶିକ୍ଷକ ଭାବେ ଯୋଗ ଦେଇଥିଲେ l ଏହା ପରେ ସେ ୨୦୨୩ ରେ ଫୁଲବାଣୀ ସରକାରୀ କଲେଜରେ ଅଧ୍ୟାପିକା ଭାବେ ଯୋଗଦେଇ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି।
ଏହି ସମସ୍ତ ୭ଜଣଙ୍କ ଓଇଏସ ପରୀକ୍ଷାରେ ଅଭୂତପୂର୍ବ ସଫଳତା ଓ କୃତିତ୍ୱ ଜିଲ୍ଲାରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା ବେଳେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।