୨୦୨୧-୨୨ରେ ଅଜଣା ସୂତ୍ରରୁ ବିଜେଡିକୁ ମିଳିଛି ୨୯୧ କୋଟି ଟଙ୍କା: ଏଡିଆର ରିପୋର୍ଟ
ଚଳିତ ବର୍ଷ ଦଳକୁ ୩୦୭.୨୮ କୋଟି ଟଙ୍କା ମିଳିଛି
ମୋଟ ୯୪.୭୩% ଟଙ୍କା ଅଜ୍ଞାତ ସୂତ୍ରରୁ ମିଳିଛି
ଭୁବନେଶ୍ବର : ୨୦୨୧-୨୨ରେ ବାର୍ଷିକ ଆୟରେ ୩୧୮ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଦେଶର ଦ୍ବିତୀୟ ଧନୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) ଅଜ୍ଞାତ ସୂତ୍ରରୁ ପ୍ରାୟ ୨୯୧ କୋଟି ଟଙ୍କା ସଂଗ୍ରହ କରିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ସେହି ଆର୍ଥିକ ବର୍ଷରେ ଆଞ୍ଚଳିକ ଦଳ ଆୟ କରିଥିବା ୩୦୭.୨୮ କୋଟି ଟଙ୍କାମଧ୍ୟରୁ ପ୍ରାୟ ୯୪.୭୩ ପ୍ରତିଶତ ଅଜ୍ଞାତ ଉତ୍ସରୁ ଆସିଥିଲା ।
ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ବିଜେଡିର ଅଡିଟ୍ ରିପୋର୍ଟ ଓ ଚାନ୍ଦା ବୟାନକୁ ବିଶ୍ଳେଷଣ କଲେ ଜଣାପଡ଼ିଛି ଯେ, ଏହାର ସୂତ୍ର ଅସ୍ପଷ୍ଟ ରହିଛି। ବର୍ତମାନ ରାଜନୈତିକ ଦଳଗୁଡ଼ିକୁ ୨୦ ହଜାର ଟଙ୍କାରୁ କମ୍ ଦାନ କରିଥିବା ବ୍ୟକ୍ତି ବା ସଂଗଠନର ନାମ ପ୍ରକାଶ କରିବାର ଆବଶ୍ୟକତା ନାହିଁ, ଯେଉଁଥିପାଇଁ ବିପୁଳ ପରିମାଣର ପାଣ୍ଠି ଠାବ ହୋଇପାରୁନାହିଁ । ବିଜେଡି ଅନ୍ୟାନ୍ୟ ସୂତ୍ରରୁ ପ୍ରାୟ ୧୬.୧୯ କୋଟି ଟଙ୍କା ଘୋଷଣା କରିଛି, ଯେଉଁଥିରେ ୧୬.୧୭ କୋଟି ଟଙ୍କା ବ୍ୟାଙ୍କ ସୁଧ ଓ ୧୧ ଲକ୍ଷ ଟଙ୍କା ଅନ୍ୟାନ୍ୟ ସୂତ୍ରରୁ ମିଳିଛି। ତେବେ ଜଣାଶୁଣା ସୂତ୍ରରୁ କୌଣସି ଆୟ ଘୋଷଣା କରାଯାଇନାହିଁ।