ମୋ ବସରେ ଲାଗିଲା ନିଆଁ

ଚାଲୁଥିବା ଅବସ୍ଥାରେ ଜଳିଲା ମୋ ବସ

ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ଏକ ମୋ ବସ ନିଆଁ ଲାଗି ଜଳି ଯାଇଛି

ରାଉରକେଲା: ମୋ ବସରେ ଲାଗିଲା ନିଆଁ । ଚାଲୁଥିବା ଅବସ୍ଥାରେ ହୁତୁହୁତୁ ହୋଇ ଜଳିଲା ମୋ ବସ । ଅଧିକ ଜଳିବା ପୂର୍ବରୁ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀମାନେ ବସରୁ ଓହ୍ଲାଇ ପଡିଥିଲେ । ଯାହାଫଳରେ ଏକ ବଡ ଅଘଟଣରୁ ବର୍ତି ଯାଇଛନ୍ତି ଯାତ୍ରୀ । ଏହି ମୋ ବସଟି ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାତ୍ରା କରୁଥିଲା ।
ରିପୋର୍ଟ ଅନୁଯାୟୀ, ବସରେ କୌଣସି ବୈଷୟିକ ତ୍ରୁଟି ଯୋଗୁଁ ଟିସିଏ ସ୍କୋୟାର ନିକଟରେ ବସରୁ ଧୂଆଁ ବାହାରିବାର ଜଣା ପଡିଥିଲା । ପରେ ଯାତ୍ରୀମାନେ ଜାଣିବା ପରେ ବସରୁ ଓହ୍ଲାଇ ପଡିଥିଲେ । ପ୍ରଥମେ ବସରେ ଧିରେ ଧିରେ ନିଆଁ ଲାଗିବା ପରେ କେହି କିଛି ବୁଝିବା ଆଗରୁ ରାସ୍ତା ଉପରେ ବସଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡିଥିଲେ । କିନ୍ତୁ ଏଥିରେ କୌଣସି ଜୀବନହାନୀ ଘଟିନାହିଁ । ଖବର ପାଇବା ପରେ ତତକ୍ଷଣାତ୍ ଅଗ୍ନିଶମ ବିଭାଗ ଯାଇ ଘଟଣାସ୍ଥଳରେ ପହଂଚିଥିଲା । କିନ୍ତୁ ଦମକଳ ଗାଡି ପହଂଚିବା ପୂର୍ବରୁ ମୋ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବାର ସୂଚନା ମିଳିଛି ।