ବିକ୍ଷୋଭକାରୀ କୁସ୍ତିଯୋଦ୍ଧାଙ୍କୁ ଗିରଫ ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ

ଜନ୍ତରମନ୍ତରଠାରେ ବିକ୍ଷୋଭ କରୁଥିବା କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ ଅଟକ ରଖାଯିବା ସହ ବିକ୍ଷୋଭସ୍ଥଳ ଜବରଦସ୍ତି ଖାଲି କରାଯିବା ପରେ ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟା ସ୍ୱାତୀ ମାଲିୱାଲ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଟ୍ୱିଟ କରିଛନ୍ତି ।

ତିନୋଟି ଭିନ୍ନ ଭିନ୍ନ ଟ୍ୱିଟ କରି ଏପରି କାର୍ଯ୍ୟାନୁଷ୍ଠାନକୁ ଦୃଢ ନିନ୍ଦା କରିଛନ୍ତି ।

ଜନ୍ତରମନ୍ତର: ଜନ୍ତରମନ୍ତରଠାରେ ବିକ୍ଷୋଭ କରୁଥିବା କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ ଅଟକ ରଖାଯିବା ସହ ବିକ୍ଷୋଭସ୍ଥଳ ଜବରଦସ୍ତି ଖାଲି କରାଯିବା ପରେ ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟା ସ୍ୱାତୀ ମାଲିୱାଲ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି । ସ୍ୱାତୀ ତିନୋଟି ଭିନ୍ନ ଭିନ୍ନ ଟ୍ୱିଟ କରି ଏପରି କାର୍ଯ୍ୟାନୁଷ୍ଠାନକୁ ଦୃଢ ନିନ୍ଦା କରିବା ସହ ସେ ସାକ୍ଷୀ ମଲ୍ଲିକଙ୍କୁ ପୋଲିସ ଜବରଦସ୍ତି ନେବାର ଫଟୋ ସେୟାର କରି ଟ୍ୱିଟ୍ ମାଧ୍ୟମରେ ଲେଖିଛନ୍ତି ଯେ, ”ଏ ହେଉଛନ୍ତି ସାକ୍ଷୀ ମଲ୍ଲିକ । ଅଲିମ୍ପିକ୍ସ ପଦକ ବିଜେତା, ପଦ୍ମଶ୍ରୀ ଓ ଖେଳରତ୍ନ ପୁରସ୍କାର ବିଜେତା । ଆଜି ତାଙ୍କୁ ଦିଲ୍ଲୀର ରାସ୍ତାରେ ଏଭଳି ଭାବେ ଟାଣି ନିଆଯାଇଛି ।” ସେହିପରି ବଜରଙ୍ଗ ପୁନିଆଙ୍କ ଫଟୋ ସେୟାର କରି ଲେଖିଛନ୍ତି, ” ଏ ହେଉଛନ୍ତି ବଜରଙ୍ଗ ପୁନିଆ । ସେ ଜଣେ ଅଲିମ୍ପିକ୍ସ ପଦକ ବିଜେତା ଏବଂ ପଦ୍ମଶ୍ରୀ, ଖେଳରତ୍ନ ପୁରସ୍କାର ପ୍ରାପ୍ତ ମଧ୍ୟ ଅଟନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କ ନ୍ୟାୟ ପାଇଁ ଲଢେଇ କରିବା ପାଇଁ ସେ ନିଜର ପୂରା କ୍ୟାରିୟରକୁ ବିପଦରେ ପକାଇଛନ୍ତି ।” ଆଉ ଏକ ଫଟୋ ସେୟାର କରି ସ୍ୱାତୀ ଲେଖିଛନ୍ତି ଯେ, ” ଏ ହେଉଛନ୍ତି ସିଡବ୍ଲୁଜି ସ୍ୱର୍ଣ୍ଣ ପଦକ ବିଜେତା ତଥା ଅର୍ଜୁନ ପୁରସ୍କାର ବିଜେତା ସତ୍ୟବର୍ତ କାଦିଆନ । ଦେଖନ୍ତୁ କେତେଜଣ ପୋଲିସ ତାଙ୍କୁ ଟାଣି ନେଇଛନ୍ତି ।” ସେମାନେ ସମସ୍ତେ ଦେଶର ଚାମ୍ପିୟନ, ଆତଙ୍କବାଦୀ ନୁହଁନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ ଟ୍ୱିଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସତ୍ୟବର୍ତ କାଦିଆନ, ଭିନେଶ ଫୋଗାଟ, ସଙ୍ଗୀତା ଫୋଗାଟ ସେମାନଙ୍କ ସମର୍ଥକଙ୍କ ସହ ପୋଲିସ ବ୍ୟାରିକେଡ ଉପରକୁ ଡେଇଁ ନବନିର୍ମିତ ସଂସଦ ଭବନ ଅଭିମୁଖେ ଯାତ୍ରା କରିବାକୁ ଚେଷ୍ଟା କରିବାରୁ ଦିଲ୍ଲୀ ପୋଲିସ ରବିବାର ଜନ୍ତରମନ୍ତରଠାରେ ସେମାନଙ୍କୁ ଅଟକ ରଖିଥିଲା । ବିକ୍ଷୋଭସ୍ଥଳରୁ ପୋଲିସ ସେମାନଙ୍କ ତମ୍ବୁ ମଧ୍ୟ ହଟାଇ ଦେଇଛି । ଆଇନଶୃଙ୍ଖଳା ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।