ପୁରୀ ରଥଯାତ୍ରା ୨୦୨୩ ପାଇଁ ଡିଜିପିଙ୍କ ପ୍ରସ୍ତୁତି ବୈଠକ

ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପୁରୀ ରଥଯାତ୍ରା ପାଇଁ ଆଜି ଡିଜିପି ସୁନୀଲ କୁମାର ବଂଶଲ ସୁରକ୍ଷା ପ୍ରସ୍ତୁତି ବୈଠକ କରିଛନ୍ତି।

କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ସୁରକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ : ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପୁରୀ ରଥଯାତ୍ରା ପାଇଁ ଆଜି ଡିଜିପି ସୁନୀଲ କୁମାର ବଂଶଲ ସୁରକ୍ଷା ପ୍ରସ୍ତୁତି ବୈଠକ କରିଛନ୍ତି। ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାରା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ସୁରକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏ ନେଇ ଜୁନ ୧୯ରେ ନବଯୌବନ ଦର୍ଶନ, ଜୁନ ୨୦ରେ ଶ୍ରୀଗୁଣ୍ଡିଚା ଯାତ୍ରା/ ରଥଯାତ୍ରା, ଜୁନ ୨୮ରେ ବାହୁଡ଼ା ଯାତ୍ରା, ଜୁନ ୨୯ରେ ସୁନା ବେଶ ଏବଂ ଜୁଲାଇ ୧ରେ ହେବାକୁ ଥିବା ନୀଳାଦ୍ରି ବିଜେ ଭଳି ଗୁରୁତ୍ୱପୂର୍ଣ୍ଣ ରୀତିନୀତି ରେ ପୁରୀ ସହରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଦେବଦେବୀଙ୍କ ଏହି ସମସ୍ତ ରୀତିନୀତିକୁ ଶାନ୍ତିଶୃଙ୍ଖଳାଓ ସଫଳତାର ସହ ସମ୍ପନ୍ନ କରିବା ପାଇଁ ବୈଠକରେ ନିମ୍ନଲିଖିତ ନିଷ୍ପତ୍ତି ନିଆଯାଇଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇବା ପାଇଁ ଆରଏଏଫ୍ ଏବଂ ସିଆରପିଏଫକୁ ସମୟ ପୂର୍ବରୁ ମଗାଯିବ। ନିର୍ଦ୍ଦିଷ୍ଟ ଦାୟିତ୍ବରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ।

ଏଥି ପାଇଁ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ / ଏଚ୍ ଏଚ୍ ଏମ୍ ଡି, ଡିଏମ୍ ଏଫ୍ ଡି ଏବଂ ମେଟାଲ ଡିଟେକ୍ଟରର ଅଧିଗ୍ରହଣ, ଭିଭିଆଇପିଙ୍କ ସୁରକ୍ଷା, ଯୋଗାଯୋଗ ବ୍ୟବସ୍ଥା, ସି.ସି.ଟି.ଭି., ଟ୍ରାଫିକ ବ୍ୟବସ୍ଥା, ବେଳାଭୂମି ପାଟ୍ରୋଲିଂକୁ ସୁଦୃଢ଼ କରିବା, ବସ୍-ଅପରେଟରଙ୍କ ସହ ଜଡ଼ିତ ସମସ୍ୟା, ଅସ୍ଥାୟୀ ପୁଲିସ ସହାୟତା ପୋଷ୍ଟ ଖୋଲିବା ପ୍ରମୁଖ ସୁବିଧା ପ୍ରଦାନ କରିବା ଉପରେ ଏହି ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥିଲା।