ଜାପାନରେ ଓଡ଼ିଶା ମହୋତ୍ସବ ଅନୁଷ୍ଠିତ
ଓଡ଼ିଶା ଓ ଜାପାନ ମଧ୍ୟରେ ସାମାଜିକ - ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜାପାନରେ ଓଡିଶା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଲେ।
ଭୁବନେଶ୍ୱର: ଓଡ଼ିଶା ଓ ଜାପାନ ମଧ୍ୟରେ ସାମାଜିକ- ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜାପାନରେ ‘ଓଡ଼ିଶା ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବାୟୋଟେକ୍ନୋଲୋଜି, ସାଂସ୍କୃତିକ ବିକାଶ ଓ ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ବିନିମୟ କାର୍ଯ୍ୟକ୍ରମ ଓ ସହଯୋଗ ପାଇଁ ଆହ୍ୱାନ ଦେଇଥିଲେ।
ଓଡ଼ିଶା କଲ୍ଚରାଲ ସୋସାଇଟି, ଜାପାନ ପକ୍ଷରୁ ଆୟୋଜିତ ସଦ୍ଭାବନା ସମାବେଶରେ ଉଦବୋଧନ ଦେଇ ଶ୍ରୀ ପଣ୍ଡା କହିଥିଲେ ଯେ ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସରେ ଓଡ଼ିଆ ଓ ଜାପାନୀମାନଙ୍କର ସାମଞ୍ଜସ୍ୟ ରହିଛି। ଉଭୟ ସମସ୍ୟାକୁ ଦୂର କରିବା ପାଇଁ ଅସାଧାରଣ ସ୍ଥିରତା ପ୍ରଦର୍ଶନ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଶାନ୍ତି ସ୍ତୁପ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବା ଓଡ଼ିଶାର ଶାନ୍ତି ପୀଠ ଧଉଳିଗିରି ଉପରେ ମଧ୍ୟ ଶ୍ରୀ ପଣ୍ଡା ବକ୍ତବ୍ୟ ରଖିଥିଲେ।
କିୟୋଟୋ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. କାଜୁନୋବୁ ମିତ୍ସୁଦା ଓଡ଼ିଶା ଓ ଜାପାନକୁ ଏହାର ଐତିହାସିକ ପରିପ୍ରେକ୍ଷୀରେ ସଂଯୋଗ କରୁଥିବା ଏକ ସାଂସ୍କୃତିକ ସୂତ୍ରଉପରେ ଆଲୋକପାତ କରିଥିଲେ।
କଳାହାଣ୍ଡିର ମହାବୀର ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଓଡ଼ିଆ କଥାଚିତ୍ର “କାଳିର ଅତୀତ”, ଶ୍ରୀମତୀ ୟୁମିକୋ ହନୋମିଆ ଓ ଶ୍ରୀମତୀ ସଚ୍ଚିକୋ ମୁରାକାମୀଙ୍କ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଏବଂ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସଭ୍ୟ ସୁଜିତ କୁମାର, ଭାଷାବିତ୍ ତଥା ପଣ୍ଡିତ ପଦ୍ମଶ୍ରୀ ଡ. ଟୋମିଓ ମିଜୋକାମି, ଓସାକା କୋବେ, ଜାପାନରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ; ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ, ବଡ଼ମ୍ବା; ଏବଂ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।