ରଣପୁର ରାଜନୀତି ସରଗରମ: କାହାସହ କିଏ ଲଢିବ; କାହାକୁ ମିଳିବ ଟିକେଟ୍?
ନୟାଗଡ଼ ଜିଲ୍ଲା ରାଜନୈତିକ ମାନଚିତ୍ରରେ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ କୁହା ଯାଉଥିବା ରଣପୁରରେ ରାଜନୀତି ଜୋର୍ ଧରିଛି
୨୦୨୪ ସାଧାରଣ ନିର୍ବାଚନରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ଥିବାବେଳେ ଏବେ କିଏ କେଉଁ ଦଳରୁ ଟିକେଟ୍ ପାଇବ ତାହା ଉପରେ ରଣପୁର ଭୋଟରଙ୍କ ନଜର
ରଣପୁର,୩୦|୫ (ଦର୍ଶନ ନ୍ୟୁଜ୍): ରାଜ୍ୟରେ ସାଧାରଣ ନିର୍ବାଚନକୁ ଆହୁରି ଆଠ ରୁ ଦଶ ମାସ ବାକି ଥିବାବେଳେ ଏବେଠାରୁ ନୟାଗଡ଼ ଜିଲ୍ଲା ରାଜନୈତିକ ମାନଚିତ୍ରରେ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ କୁହା ଯାଉଥିବା ରଣପୁରରେ ରାଜନୀତି ଜୋର୍ ଧରିଛି। ରଣପୁର ବିଜୁ ଜନତା ଦଳର କିଛି ଚାଟୁକାରଙ୍କ ପାଇଁ ବର୍ତ୍ତମାନର ବିଧାୟକ ଏବେ ଅଡ଼ୁଆରେ ପଡୁଥିବାବେଳେ ଏବେଠୁ ନିଜ ନିଜର ସ୍ଥିତିକୁ ମଜବୁତ୍ କରିବାପାଇଁ ବିଭିନ୍ନ ରାଜନୈତିକ ଦଳର ଛାମୁଆଙ୍କ ମଧ୍ୟରେ ତତ୍ପରତା ଲକ୍ଷ କରାଯାଉଛି। ଏହି କ୍ରମରେ ଆମେ ଆଲୋଚନା ଆରମ୍ଭ କରିବା ବିଜେପିର ଫାୟାରବ୍ରାଣ୍ଡ୍ ନେତ୍ରୀ ସୁରମା ପାଢୀଙ୍କ ଠାରୁ। ସୁରମା ଥରେ କି’ ଦୁଇଥର ନୁହଁନ୍ତି; ଲଗାତାର ତିନି ଥର ହାରି ସାରିଲେଣି। ଯଦିଓ ରଣପୁରରେ ଏବେ ବିଜେପିର ଶକ୍ତି ବଢିଛି, ହେଲେ ୨୦୨୪ ସାଧାରଣ ନିର୍ବାଚନରେ ଦଳ ତରଫରୁ ସୁରମା ପ୍ରାର୍ଥୀ ହେଲେ ଜିତିବେ କି’ ନାହିଁ ତାହାକୁ ନେଇ ଏବେ ଠାରୁ ଚାଲିଛି ଜୋରଦାର୍ ଅଙ୍କକଷା। ସେପଟେ ବିଜେଡ଼ି ଏହି ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀଙ୍କୁ ରିପିଟ୍ କରୁନାହିଁ। ବାର୍ ବାର୍ ପ୍ରାର୍ଥୀ ବଦଳାଉଛି। ଏଭଳି କ୍ଷେତ୍ରରେ ବର୍ତ୍ତମାନର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଟିକେଟକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି। ୨୦୦୦ ମସିହାରୁ ରଣପୁରରେ କେହିହେଲେ ଲଗାତାର ବିଧାୟକ ହୋଇ ପାରିନାହାଁନ୍ତି। ୨୦୦୦ ମସିହାରେ କଂଗ୍ରେସରୁ ରମାକାନ୍ତ ମିଶ୍ର, ୨୦୦୪ ମସିହାରେ ବିଜେଡ଼ି-ବିଜେପି ମିଳିତ ମେଣ୍ଟରୁ ସୁରମା ପାଢ଼ୀ, ରାଜ୍ୟରେ ବିଜେଡ଼ି-ବିଜେପି ମେଣ୍ଟ ଭାଙ୍ଗିଗଲା ପରେ ୨୦୦୯ ମସିହାରେ ବିଜେଡ଼ିରୁ ସତ୍ୟ ନାରାୟଣ ପ୍ରଧାନ, ୨୦୧୪ ମସିହାରେ ବିଜେଡ଼ିରୁ ରବି ନାରାୟଣ ମହାପାତ୍ର ଓ ୨୦୧୯ ମସିହାରେ ସତ୍ୟ ନାରାୟଣ ପ୍ରଧାନ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଛନ୍ତି। ରଣପୁରରେ ସବୁବେଳେ ବିଜେଡ଼ି ଓ ବିଜେପି ମଧ୍ୟରେ ଫାଇଟ୍ ହେଉଛି। ଗତ ସାଧାରଣ ନିର୍ବାଚନରେ ୫୦୦୦ ରୁ କମ୍ ଭୋଟ୍ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ନିକଟତମ ପ୍ରତିଦ୍ୱନ୍ଦୀ ସୁରମା ପାଢ଼ୀଙ୍କ ଠାରୁ ଜିତିଥିଲେ। ଏବେ କିନ୍ତୁ ବିଧାୟକଙ୍କ ଶକ୍ତି ହ୍ରାସ ପାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି। ଦଳ ଭିତରେ ତାଙ୍କର ବିରୋଧୀ ମୁଣ୍ଡ ଟେକିଥିବା ବେଳେ ବିଜେପି ରଣପୁର ବ୍ଳକ୍ ଦଖଲ କରିବାରେ ସଫଳ ହୋଇଛି। ସେପଟେ ରଣପୁର ବିଜୁ ଜନତା ଦଳରୁ ଲଢିବା ପାଇଁ ଆଶା ରଖିଛନ୍ତି ଅରୁଣ ସାହୁଙ୍କ ଅନୁଗତ ଆଲୋକ ପଟ୍ଟନାୟକ। ଆଲୋକ ଏବେ ସାରା ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ମଜବୁତ୍ କରୁଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ସଭାସମିତି,ମେଳା,ମହୋତ୍ସବରେ ଉପସ୍ଥିତି ସହିତ ସାଧାରଣ ଲୋକଙ୍କ ସୁଖ,ଦୁଃଖରେ ଦ୍ୱାରସ୍ଥ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ବିଭିନ୍ନ ଗାଁ’ ଗଣ୍ଡାଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ମାନ୍ୟବର ନବୀନ ପଟ୍ଟନାୟକ,ଡ.ଅରୁଣ ସାହୁ, ପିନାକୀ ମିଶ୍ର ଓ ଶଙ୍ଖ ଚିହ୍ନ ସହିତ ତାଙ୍କ ଫଟୋ ଥିବା ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟର ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଗତ ପୌର ପରିଷଦ ନିର୍ବାଚନରେ ରଣପୁରରେ ଚାଲ୍ କରି ବିଜେପିର ଶକ୍ତିକୁ ପଛରେ ପକାଇବାରେ ସମର୍ଥ ହୋଇଥିଲେ। ଯାହାଫଳରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବିଜେଡ଼ି ଦଖଲ କରିଥିଲା। ଏଇ ତମାମ୍ ଘଟଣା ସହିତ ନୟାଗଡ଼ ଜିଲ୍ଲା ରାଜନୀତିକୁ ଅରୁଣ ନିୟନ୍ତ୍ରଣ କରୁଥିବାରୁ ଆଲୋକଙ୍କ ଦାବିଦାରକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ। ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ବି ଟିକେଟ୍ ପାଇଁ ଜୋରଦାର୍ ଲବି କରୁଛନ୍ତି। ତେବେ ତାଙ୍କ ଉପରେ ଅନେକ ଦଳୀୟ ନେତା ଖପ୍ପା ଥିବା ଜାଣିବାକୁ ମିଳିଛି। ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ ରବିନାରାୟଣ ମହାପାତ୍ର ଯଦିଓ ଦଳର ସଙ୍ଗଠନ ଠାରୁ ଦୂରେଇ ରହିଛନ୍ତି ସେ ମଧ୍ୟ ୨୦୨୪ ରେ ଟିକେଟ୍ ପାଇବା ପାଇଁ ଆଶା ରଖିଛନ୍ତି। କାରଣ ତାଙ୍କ ବିଧାୟକତ୍ୱ ସମୟରେ ରଣପୁର ନିର୍ବାଚନ ମଣ୍ଡଳୀରେ ସବୁଠାରୁ ଅଧିକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ତେଣୁ ତାଙ୍କ ଶୁଭେଚ୍ଛୁ,ସମର୍ଥକ,ଅନୁଗତ ମାନେ ଟିକେଟ୍ ପ୍ରୟାସରେ ଲାଗିପଡିଛନ୍ତି। ଏମାନଙ୍କ ବ୍ୟତୀତ ଟିକେଟ୍ ଦୌଡ଼ରେ ଅଛନ୍ତି ଦଳର ଯୁବନେତା ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ। ସେ ମଧ୍ୟ ଦଳର କ୍ରାଇସିସ୍ ମ୍ୟାନେଜର ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି। ରଣପୁର ବିଜେଡ଼ିର ଯୁବ ସାଙ୍ଗଠନିକ ଦାୟିତ୍ବନେଇ ରଣପୁରର ବିଭିନ୍ନ କଂଗ୍ରେସ ଓ ବିଜେପି ସଙ୍ଗଠନକୁ ପଛରେ ପକେଇବା ସହିତ ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଗୋପାଳପୁର ଜୋନର ସାଙ୍ଗଠନିକ ଦାୟିତ୍ୱ ନେଇ ୨୩ନଂ ଜୋନ୍ ଗୋପାଳପୁର ଜୋନକୁ ହାତେଇ ନେଇ ନିଜ ଧର୍ମପତ୍ନୀଙ୍କୁ ଶଙ୍ଖ ନୟାଗଡ଼ ଜିଲ୍ଲା ପରିଷଦକୁ ନିର୍ବାଚିତ କରାଇବାରେ ସମର୍ଥ ହୋଇଥିଲେ। ଏପରି ତାଙ୍କର ଦଳୀୟ କାର୍ଯ୍ୟ ଶୈଳୀ ଦଳର ଛାତ୍ର,ଯୁବ,ମହିଳା ସଙ୍ଗଠନରେ ଅନୁକରଣୀୟ। ଦଳର ବିପଦ ସମୟରେ ତାଙ୍କର ଉପସ୍ଥିତିକୁ ଦଳ ଗୁରୁତ୍ୱ ଦେଉଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ଦଳ ଯଦି ୨୦୨୪ରେ ଯୁବନେତୃତ୍ୱକୁ ସୁଯୋଗ ଦିଏ ତେବେ ତାଙ୍କୁ ଦଳ ପ୍ରାର୍ଥୀକଲେ ଭଲ ହେବବୋଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ’ ଗହଳି,ଛକ,ବଜାର,ଚାହାଖଟିରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। କଂଗ୍ରେସରୁ ବିଜେଡ଼ିକୁ ଆସିଥିବା ସନ୍ତୋଷ ଲେଙ୍କାଙ୍କ ନାମ ମଧ୍ୟ ଏହି ଟିକେଟ୍ ଦୌଡ଼ରେ ଯୋଡ଼ି ହୋଇଛି। ତେବେ ବିଜେଡ଼ି ମହିଳାମାନଙ୍କୁ ଗୁରୁତ୍ୱ ଦେଉଥିବା ଯୋଗୁଁ କିଛି ମହିଳା ନେତ୍ରୀ ମଧ୍ୟ ଟିକେଟ୍ ପାଇବା ଆଶାରେ ଅଛନ୍ତି। ଏମାନଙ୍କ ମଧ୍ୟରେ ସମାଜସେବୀ ତଥା ରାଜ୍ୟ ମହିଳା ବିଜୁ ଜନତା ଦଳର ସମ୍ପାଦିକା ଲିଙ୍କନ ସୁବୁଦ୍ଧିଙ୍କ ନାମ ସର୍ବାଗ୍ରେ ରହିଛି। ସେପଟେ ନୟାଗଡ଼ ଜିଲ୍ଲା ପରିଷଦ ୨ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଏକାନ୍ତ ଅନୁଗାମୀ କୁହାଯାଉଥିବା ଓଡ଼ଗାଁ ବ୍ଳକ୍ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଧର୍ମପତ୍ନୀ ବିରଜା ଲକ୍ଷ୍ମୀ ସାହୁଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଏମାନେ ରଣପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଯାଇ ନିଜର ସଙ୍ଗଠନକୁ ମଜବୁତ୍ କରିବାରେ ଲାଗି ପଡିଛନ୍ତି। ବିଜେପିରୁ ସୁରମା ପାଢ଼ୀ ଟିକେଟ୍ ପାଇବା ଯଥେଷ୍ଟ ସମ୍ଭାବନା ଥିବାରୁ ଏବଂ ବିଜେଡ଼ି ଏଥର ମହିଳାଙ୍କୁ ନେଇ ରଣପୁରରେ ଗୋଟି ଚଳାଇବା ଆଶାରଖି ଏମାନେ ଏଥର ନିଜ ନିଜର ରାଜନୈତିକ ପତିଆରା ପାଇଁ ଲାଗି ପଡିଛନ୍ତି। ତେଣୁ ରଣପୁର ରାଜନୀତିର ହଟ୍ ପେଜ୍ ରେ ବଡ଼ବଡ଼ ନେତାଙ୍କୁ ପଛରେ ପକେଇପାରିବେ,,କି’ ନାହିଁ ତାହା ସମୟ ହିଁ କହିବ! ସେପଟେ ବିଜେପିର ଟାଣୁଆ ନେତ୍ରୀ ସୁରମା ପାଢ଼ୀ ଥିଲେ ବି ସନ୍ନ୍ୟାସୀ ପ୍ରଧାନଙ୍କ ସଙ୍ଗଠନକୁ ନେଇ ଜୋରଦାର୍ ଚର୍ଚ୍ଚା ହେଉଛି। ପୂର୍ବରୁ ସନ୍ନ୍ୟାସୀ ବିଜେଡ଼ିରେ ଥିଲେ। ବିଜେପିରେ ସାମିଲ୍ ହେବାପରେ ସନ୍ନ୍ୟାସୀଙ୍କ ସାଙ୍ଗଠନିକ ଶକ୍ତି ବଢି ଚାଲିଛି। ବିଶେଷ କରି ରଣପୁର ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ବ୍ଲକରେ ତାଙ୍କର ବେଶ୍ ଦବଦବା ରହିଛି। ଖାଲି ସେତିକି ନୁହେଁ; ରଣପୁର ଓ ଶରଣକୂଳ ଅଞ୍ଚଳରେ ସାଙ୍ଗଠନିକ ଜାଲ ବିଛେଇଥିବା ସିଦ୍ଧାର୍ଥ ପଣ୍ଡା ମଧ୍ୟ ବିଜେପିରୁ ଟିକେଟ୍ ପାଇବା ପାଇଁ ବେଶ୍ ଆଶାବାଦୀ ଅଛନ୍ତି। ବିଜେଡ଼ି ଓ ବିଜେପି ଲଢେଇ ମଧ୍ୟରେ କଂଗ୍ରେସ ହଜି ଯାଇଛି କହିଲେ ଭୁଲ୍ ହେବନାହିଁ। ଗତ ନିର୍ବାଚନରେ କଂଗ୍ରେସରୁ ଶୁଭଶ୍ରୀ ପଣ୍ଡା (ମିଲି) ଲଢିଥିବା ବେଳେ ଏବେ ତାଙ୍କୁ ନିର୍ବାଚନ ମଣ୍ଡଳୀରେ କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ଦଳର ଶକ୍ତି ଏକ ପ୍ରକାର କ୍ଷୀଣ ହୋଇ ଯାଇଥିବା ବେଳେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ ଏଥରକ ରଣପୁର ଆସନରେ କଂଗ୍ରେସରୁ ପ୍ରାର୍ଥୀ ହେବାପାଇଁ ମନ ବଳେଇଛନ୍ତି। ଏପରିକି ରଣପୁର ମାଟିର ପୁଅ ,ଲଢୁଆ ନେତା ସତ୍ୟବ୍ରତ ନାୟକ ମଧ୍ୟ କଂଗ୍ରେସ ଟିକେଟ୍ ପାଇଁ ଆଶାବାଦୀ ଅଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ଥିବାବେଳେ ଏବେ କିଏ କେଉଁ ଦଳରୁ ଟିକେଟ୍ ପାଇବ ତାହା ଉପରେ ରଣପୁର ଭୋଟରଙ୍କ ନଜର ରହିଛି।