ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ
ସର୍ବଭାରତୀୟ ଫୁଟବଲ ମହାସଂଘର ସାଧାରଣ ସମ୍ପାଦକ ଶାଜି ପ୍ରଭାକରନ ଏବଂ ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ଇଗୋର ଷ୍ଟିମାକଙ୍କ ଉପସ୍ଥିତିରେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍ ପ୍ରଦାନ କରିଛନ୍ତି।
ଭୁବନେଶ୍ୱରରେ ଜୁନ୍ ୯ରୁ ୧୮ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍ ମ୍ୟାଚ୍ ଆୟୋଜିତ ହେବ
ରାଉରକେଲା: ଏଫଆଇଏଚ୍ ଓଡ଼ିଶା ହକି ବିଶ୍ୱକପ୍ ୨୦୨୩ର ବିପୁଳ ସଫଳତା ପରେ ଭୁବନେଶ୍ୱର-ରାଉରକେଲାରେ ଏକ ଅନ୍ତର୍ଜାତୀୟ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଛି। ଏହି ୪ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ, ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଭାଗ ନେବେ। ଭୁବନେଶ୍ୱରରେ ଜୁନ୍ ୯ରୁ ୧୮ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍ ପାଇଁ ଦିନ ଗଣିବା ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି। ସର୍ବଭାରତୀୟ ଫୁଟବଲ ମହାସଂଘର ସାଧାରଣ ସମ୍ପାଦକ ଶାଜି ପ୍ରଭାକରନ ଏବଂ ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ଇଗୋର ଷ୍ଟିମାକଙ୍କ ଉପସ୍ଥିତିରେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍ ପ୍ରଦାନ କରିଛନ୍ତି।
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାବାସୀଙ୍କ ମଧ୍ୟରେ ଫୁଟବଲ୍ ପ୍ରତି ବହୁତ ଭଲ ପାଇବା ରହିଛି। ଏହି ଚମତ୍କାର କାର୍ୟ୍ୟକ୍ରମର ଆୟୋଜନ ହେଉଛି । ଏହି ଚମତ୍କାର ଇଭେଣ୍ଟର ଆୟୋଜନ ଆମ ପାଇଁ ଆଉ ଏକ ସମ୍ମାନ ଏବଂ ନିଶ୍ଚିତ ଭାବରେ ରାଜ୍ୟ ଏବଂ ଭାରତର ଅନେକ ଫୁଟବଲ ପ୍ରଶଂସକଙ୍କୁ ରୋମାଞ୍ଚିତ କରିବ । ମୁଁ ଦଳଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସକଙ୍କୁ ବହୁ ସଂଖ୍ୟାରେ ଆସି ଶୀର୍ଷମାନର ଫୁଟ୍ ବଲ୍ ଦେଖିବାକୁ ଉତ୍ସାହିତ କରିବାକୁ ଚାହୁଁଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଅନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି। ବ୍ଲୁ୍ୟ ଟାଇଗର୍ସ (ଇଣ୍ଡିଆ)କୁ ଉତ୍ସାହିତ କରିବା ପାଇଁ ବହୁ ସଂଖ୍ୟାରେ ଫୁଟବଲ ପ୍ରଶଂସକଙ୍କୁ ଷ୍ଟାଡିୟମକୁ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ଓଡିଶା ଫୁଟବଲର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ଏଥିରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ୨୦୨୨, ସାଫ୍ ୨୦୨୨, ଆଇଏସ୍ ଏଲ୍ ସିଜିନ୍, ଆଇଡବ୍ଲୁ୍ୟଏଲ୍ ୨୦୨୧-୨୨ ଏବଂ ଓଡ଼ିଶା ମହିଳା ଲିଗ୍ ଆୟୋଜନ କରାଯାଇ ରାଜ୍ୟରେ ଫୁଟ୍ ବଲ୍ ଇକୋସିଷ୍ଟମର ବିକାଶକୁ ବ୍ୟାପକ ପ୍ରୋତ୍ସାହନ ମିଳିଛି। ଏଆଇଏଫ୍ଏଫ୍ ସହ ଭାଗିଦାରୀରେ ରାଜଧାନୀ ଭୁବନେଶ୍ୱର ମଧ୍ୟ ଭାରତୀୟ ୧୬ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ଦଳର ଆଧାର ହୋଇଥିବାରୁ ଅତ୍ୟାଧୁନିକ ଭିତ୍ତିଭୂମିରେ ବାରମ୍ବାର ଶିବିର ଓ ପ୍ରଶିକ୍ଷଣ ଅଧିବେଶନର ଆୟୋଜନ କରାଯାଉଛି। ନିକଟରେ କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରୁ ବାହାରିଥିବା ରାଜ୍ୟ ସହଯୋଗୀ ଓଡ଼ିଶା ଏଫ୍ସି ସମ୍ମାନଜନକ ସୁପର କପ୍ ହାସଲ କରିଥିବାରୁ ରାଜ୍ୟରେ ଫୁଟ୍ ବଲ୍ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଓଡ଼ିଶା ଏଫସି ସହ ଭାଗିଦାରୀ ରାଜ୍ୟକୁ ଏକ ସୁଦୃଢ଼ ତୃଣମୂଳ ସ୍ତରୀୟ ବ୍ୟବସ୍ଥା ଗଠନ କରିବାରେ ସକ୍ଷମ କରିଛି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଭାରତୀୟ ମହିଳା ଲିଗ୍ (ଆଇଡବ୍ଲ୍ୟୁଏଲ୍ )ରେ ଦୁଇଟି ଦଳ ଭାଗ ନେଉଛନ୍ତି।