ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଜୁନ ୨୩ରୁ ଜୋରିମାନା
ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ପକ୍ଷରୁ କୁହାଯାଇଛି ଯେ ୨୦୨୩ ଜୁନ୍ ୨୩ରୁ ଏଚ୍ଏସ୍ଆରପି ଉଲ୍ଲଂଘନ ପାଇଁ ଜରିମାନା ଆଦାୟ କରାଯିବ।
୫୦୦୦/- ଟଙ୍କା କିମ୍ବା ୧୦,୦୦୦/- ଟଙ୍କା ଜରିମାନା ଆଦାୟ କରାଯିବ
ଭୁବନେଶ୍ବର : ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ନଥିବା ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଜୁନ୍ ୨୩ ତାରିଖରୁ ସ୍ବତନ୍ତ୍ର ଅଭିଯାନ ଜରିଆରେ ଏସଟିଏ ମୋଟା ଅଙ୍କର ଜରିମାନା ଆଦାୟ ଆରମ୍ଭ କରିବ। ଏ ନେଇ ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛି।
ଏସଟିଏର ଅତିରିକ୍ତ ଏନଫୋର୍ସମେଣ୍ଟ କମିଶନର ଲାଲମୋହନ ସେଠୀ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି, ଜୁନ୍ ୭, ୨୦୨୩ ସୁଦ୍ଧା ସମୁଦାୟ ୪୦,୯୩,୬୦୮ ଗାଡ଼ି ମାଲିକ ସ୍ଲଟ୍ ବୁକ୍ କରିଥିବା ବେଳେ ସେଥିମଧ୍ୟରୁ ୩୫,୮୭,୫୭୭ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଯାଇଛି। ଜରିମାନାରୁ ବର୍ତ୍ତିବା ପାଇଁ ଗାଡ଼ି ମାଲିକମାନଙ୍କୁ ଯଥାଶୀଘ୍ର ଏଚ୍ଏସ୍ଆରପି ଲଗାଇବାକୁ ପରାମର୍ଶ ଦିଆଯାଇଛି।
ନିର୍ଦ୍ଧାରିତ ତାରିଖ ମଧ୍ୟରେ ଯଦି ଗାଡିକୁ ଏଚଏସଆରପିରେ ସଂଯୋଗ କରାନଯାଏ ତେବେ ଆପତ୍ତିଜନକ ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ଏମଭି ଆକ୍ଟ, ୧୯୮୮ର ଧାରା ୧୯୨ ଅନୁଯାୟୀ ୫୦୦୦/- ଟଙ୍କା କିମ୍ବା ୧୦,୦୦୦/- ଟଙ୍କା ଜରିମାନା ଆଦାୟ କରାଯିବ।
ସୂଚନାନୁସାରେ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଓଡ଼ିଶା (ଏସ୍ଟିଏ) ୨୬୭୪ଟି ଗାଡ଼ି ବିରୋଧରେ ଚାଲାଣ କାଟିଛି। ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ)ର ବିଜ୍ଞପ୍ତି/ବୈଧାନିକ ଆଦେଶ ଅନୁଯାୟୀ, ରାଜ୍ୟ ପରିବହନ ବିଭାଗ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ ୦୧.୦୬.୨୨ ରୁ ଏଚଏସଆରପି ଲଗାଇବା ବାଧ୍ୟତାମୂଳକ କରିଛି।