ଖାକିରେ ଦାଗ: ଲୁଟ୍ କରି ୨ ହୋମଗାର୍ଡ ଗିରଫ
ଆନ୍ଧ୍ରପ୍ରଦେଶର ଦୁଇ ଜଣ ବ୍ୟକ୍ତି ଏକ ପାୱାର ଟିଲର କିଣିବା ପାଇଁ ଜୟପୁର ଯାଉଥିବା ବେଳେ ବାଟରେ ବିଶ୍ରାମ ନେଉଥିବା ଦୁଇ ହୋମଗାର୍ଡ ଓ ଜଣେ ଗ୍ରାମରକ୍ଷୀ ସେମାନଙ୍କ ଉପରକୁ ଆକ୍ରମଣ କରି ଲୁଟ କରିଥିଲେ ।
ଏହି ଲୁଟ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଜଣେ ପୂର୍ବତନ ସମିତି ସଭ୍ୟ
କୋରାପୁଟ : ଆନ୍ଧ୍ରପ୍ରଦେଶର ଦୁଇ ଜଣଙ୍କ ଠାରୁ ନଗଦ ୧ ଲକ୍ଷ ୧୫ ହଜାର ଟଙ୍କା ଲୁଟ୍ ଅଭିଯୋଗରେ ଦୁଇ ଜଣ ହୋମଗାର୍ଡ ଓ ଗୋଟିଏ ଗ୍ରାମରକ୍ଷୀଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ହୋମଗାର୍ଡମାନେ ଏବେ କୋରାପୁଟ ଜିଲ୍ଲା ପଡୁଆ ଥାନାରେ ନିୟୋଜିତ ଅଛନ୍ତି। ଆନ୍ଧ୍ରପ୍ରଦେଶର ଦୁଇ ଜଣ ବ୍ୟକ୍ତି ଏକ ପାୱାର ଟିଲର କିଣିବା ପାଇଁ ଜୟପୁର ଯାଉଥିଲେ। ଅତ୍ୟଧିକ ଗରମ ହେତୁ ସେମାନେ ବିଶ୍ରାମ ଗୃହରେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ୫ ଜଣ ଅଭିଯୁକ୍ତ ଏକ କାର୍ରେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିଥିଲେ।ଆଉ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଜଣେ ପୂର୍ବତନ ସମିତି ସଭ୍ୟ। ସେମାନେ କିଛି ବୁଝିବା ପୂର୍ବରୁ ୫ ଜଣ ସେମାନଙ୍କୁ ମାଡ଼ ମାରିବା ସହ ସମସ୍ତ ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦୁଇ ଜଣଙ୍କ ଅଭିଯୋଗକୁ ଭିତ୍ତି କରି ନନ୍ଦପୁର ପୁଲିସ ଏକ ମାମଲା ରୁଜୁ କରି ଅପରାଧୀଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଥିଲା। ତଦନ୍ତ ବେଳେ ତଦନ୍ତକାରୀ ଟିମ୍ ହୋମଗାର୍ଡଙ୍କ ସମ୍ପୃକ୍ତି ଜାଣିବାରୁ ଗିରଫ କରିଥିଲା।
ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘‘ଏହା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜିଂ କାର୍ୟ୍ୟ। ୫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ହୋମଗାର୍ଡ ଓ ଜଣେ ଗ୍ରାମରକ୍ଷୀଙ୍କ ସମେତ ୩ ଜଣ ଆମର କର୍ମଚାରୀ ଅଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ସ୍ଥାନୀୟ ଅପରାଧୀ, ଯେଉଁମାନେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ, ଜବରଦଖଲ ଓ ଲୁଟ୍ ମାମଲାରେ ସମ୍ପୃକ୍ତ ଥିଲେ। କିନ୍ତୁ ହୋମ୍ ଗାର୍ଡ ହୁଅନ୍ତୁ, ପୁଲିସ, ଓକିଲ ହୁଅନ୍ତୁ, ରାଜନେତା ହୁଅନ୍ତୁ, ସାମ୍ବାଦିକ ହୁଅନ୍ତୁ କିମ୍ବା କିଛି ପେସାଦାର ଅପରାଧୀ ହୁଅନ୍ତୁ ସମସ୍ତଙ୍କ ପାଇଁ ଆଇନ ସମାନ। ଆଇନ ଅନୁଯାୟୀ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।‘’