ଇଞ୍ଜିନ ଖରାପ ହେବାରୁ ଦିଲ୍ଲୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ
ଇଣ୍ଡିଗୋ ବିମାନର ଇଞ୍ଜିନ ଖରାପ ହେବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ବଜେଟ୍-ଇଣ୍ଡିଆନ୍ ଏୟାରଲାଇନ୍ସର ଏୟାରବସ୍ ଏ୩୨୧ନିଓ ବିମାନରେ ଏହି ଘଟଣା ଘଟିଛି
ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନର ଇଞ୍ଜିନ ଖରାପ ହେବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କରାଯାଇଥିଲା। ଦିଲ୍ଲୀରେ ଅବତରଣ କରିବା ପୂର୍ବରୁ ବିମାନଟି ସମ୍ପୂର୍ଣ୍ଣ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା। ବଜେଟ୍-ଇଣ୍ଡିଆନ୍ ଏୟାରଲାଇନ୍ସର ଏୟାରବସ୍ ଏ୩୨୧ନିଓ ବିମାନରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଇଣ୍ଡିଗୋ ଦିଲ୍ଲୀ-ଚେନ୍ନାଇ ବିମାନ (୬ଇ-୨୭୮୯) ଶନିବାର ରାତିରେ ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ବିମାନଟି ଉଡ଼ାଣ ଭରିବାର ଏକ ଘଣ୍ଟା ମଧ୍ୟରେ ସୁରକ୍ଷିତ ଭାବେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରିଥିଲା। ବିମାନଟି ଶନିବାର ରାତି ୯ଟା ୪୬ମିନିଟରେ ଦିଲ୍ଲୀ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ରାତି ୧୨ଟା ୨୪ରେ ଚେନ୍ନାଇରେ ପହଞ୍ଚିବାର ଥିଲା। ତେବେ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ବିମାନଟି ଫେରିବାକୁ ବାଧ୍ୟ ହୋଇଥିଲା। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ସହ ଆବଶ୍ୟକ ଯାଞ୍ଚ ଜାରି ରଖିଛି। ଘଟଣା ସମୟରେ ଏୟାରବସ୍ ବିମାନରେ ୨୩୧ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ମେମ୍ବର ଥିଲେ।