ଯବାନଙ୍କ ଉପରେ ଡ୍ରୋନ୍ ବ୍ୟବହାର କରି ନଜର ରଖୁଛନ୍ତି ମାଓବାଦୀ

ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ବସ୍ତର ଡିଭିଜନର ମାଓବାଦୀଙ୍କ ପାଖରେ ପାଖାପାଖି ୧୦ଟି ଡ୍ରୋନ୍ ରହିଛି ଯାହାସୁରକ୍ଷା କର୍ମୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଟ୍ରାକିଂ ପାଇଁ ବ୍ୟବହୃତ ହେଉଛି ।

ମାଓବାଦୀଙ୍କ ନିକଟରେ ୧୦ଟି ଡ୍ରୋନ୍ ରହିଛି

ମାଲକାନଗିରି : ନକ୍ସଲ ବିରୋଧୀ ଅଭିଯାନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଲାଲ ବାହିନୀମାନେ ଏବେ ସୁରକ୍ଷାକର୍ମୀଙ୍କ ଅପରେସନକୁ ପ୍ରତିହତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ନିର୍ଭର କରୁଛନ୍ତି। ତେଲେଙ୍ଗାନାରେ ସିପିଆଇ (ମାଓବାଦୀ) କୋରିଅର୍ସରୁ ପୁଲିସ ପ୍ରଥମ ଥର ପାଇଁ ଡ୍ରୋନ୍ କ୍ୟାମେରା ଜବତ କରିଛି। ଅଭିଯୁକ୍ତମାନେ ହେଲେ ନାଗେଶ୍ୱର ରାଓ, ମଲ୍ଲିକାର୍ଜୁନ ରାଓ ଓ ପାଙ୍ଗୁଲୁ ଉମାଶଙ୍କର।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର କୋଥାଗୁଡେମ୍ ଜିଲ୍ଲାର ଚେର୍ଲା ମଣ୍ଡଳର ଦେବନଗରମ୍ ରେ ଚେର୍ଲା ପୁଲିସ, ସ୍ପେଶାଲ ପାର୍ଟି ପୁଲିସ ଏବଂ ସିଆରପିଏଫ୍ ୧୪୧ ବିଏନ୍ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ଡ୍ରୋନ୍କୁ ଜବତ କରାଯାଇଛି।ବିଏସଏଫର ପୂର୍ବତନ ଏଡିଜି ପ୍ରଭାସ ମିଶ୍ର କହିଛନ୍ତି, ଡ୍ରୋନ୍ ଓ ବିସ୍ଫୋରକ ଜବତ ହେବା ନିଶ୍ଚିତ ଭାବେ ଚିନ୍ତାଜନକ। ପଚରାଉଚରା ବେଳେ ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି ଯେ ମାଓବାଦୀଙ୍କ ନିକଟରେ ୧୦ଟି ଡ୍ରୋନ୍ ରହିଛି, ଯାହାସୁରକ୍ଷା କର୍ମୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଟ୍ରାକିଂ ପାଇଁ ବ୍ୟବହୃତ ହେଉଛି।