ଆଇଏସଆଇକୁ ଓଟିପି ସେୟାରିଂ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ
ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଓଟିପି ସେୟାରିଂ ଦୁର୍ନୀତିର ଆଉ ଜଣେ ଅଭିଯୁକ୍ତଙ୍କୁ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଛି।
ପୂର୍ବରୁ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା
ଭୁବନେଶ୍ବର: ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଓଟିପି ସେୟାରିଂ ଦୁର୍ନୀତିର ଆଉ ଜଣେ ଅଭିଯୁକ୍ତଙ୍କୁ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଭୁରୁଙ୍ଗା ଗ୍ରାମର ପ୍ରୀତମ କର। ଆଜି ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ।
ପୂର୍ବରୁ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେ ଓ ତାଙ୍କ ସହଯୋଗୀମାନେ ୨୦୧୭ ରୁ ଏହି ବେଆଇନ କାରବାରରେ ଲିପ୍ତ ଥିବା ଜଣାପଡିଛି। ସେ ଏକାଧିକ ଆଇଏସଆଇ ଏଜେଣ୍ଟଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ ଏବଂ ଅନ୍ୟ ରାଜ୍ୟରେ ସେମାନଙ୍କୁ ଏକାଧିକ ଥର ବ୍ୟକ୍ତିଗତ ଭାବେ ଭେଟିବା ସହ ଓଟିପି/ ମ୍ୟୁଲ ଆକାଉଣ୍ଟ/ ଡିଜିଟାଲ ୱାଲେଟ ବିକ୍ରି ପାଇଁ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ପାଇଥିଲେ।
ଗତବର୍ଷ ମାଙ୍ଗାଲୋରରେ ଆତଙ୍କବାଦୀ ଦ୍ୱାରା ହୋଇଥିବା ବିସ୍ଫୋରଣରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ସିମ୍ ଓ ଡେବିଟ୍ କାର୍ଡ ପ୍ରୀତମ କର ପ୍ରଦାନ କରିଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ, ଓଟିପି ଏବଂ ଡିଜିଟାଲ୍ ୱାଲେଟ୍ ବିକ୍ରି କରିଛନ୍ତି।
ପ୍ରୀତମ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି), ଫିନୋ କେୟାର, ଏଚଡିଏଫସି, ଆକ୍ସିସ, ୟେସ୍ ବ୍ୟାଙ୍କ, ଆଇସିଆଇସିଆଇ, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ପେଟିଏମ ବ୍ୟାଙ୍କ ଇତ୍ୟାଦିର ଆକାଉଣ୍ଟ/ ଡିଜିଟାଲ ୱାଲେଟ ବିକ୍ରି କରୁଥିଲେ । ସେ ଏବଂ ତାଙ୍କ ସହଯୋଗୀ ବିଭିନ୍ନ ସୋସିଆଲ ମିଡ଼ିଆ ଜରିଆରେ ଗ୍ରାହକଙ୍କ ସହ ଯୋଗାଯୋଗ କରୁଥିଲେ। ସେ ଅନେକ ବିଦେଶୀ ନମ୍ବରରେ ହ୍ଵାଟ୍ସଆପ୍ ଭଏସ୍ କଲ୍/ଚାଟ୍ ମଧ୍ୟ କରୁଥିଲେ। ଅଭିଯୁକ୍ତ ଜଣକ ୧୧୩ ସଦସ୍ୟ ବିଶିଷ୍ଟ ‘ଅଲ୍ ସେଭିଂ ଏସି ଉପଲବ୍ଧ’ ନାମକ ହ୍ୱାଟ୍ସଆପ୍ ଗ୍ରୁପର ଆଡମିନ୍ ମଧ୍ୟ ଥିଲେ। ଏହା ସହ ସେ ଅନଲାଇନ ଓ ଅଫଲାଇନ ଭାବରେ ଅନେକ ଗ୍ରୁପର ସଦସ୍ୟ ଅଛନ୍ତି। ତେବେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।