ବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ, ୧୦ ଆହତ
ଓଡ଼ିଶାରେ ଦୁଇଟି ପୃଥକ ବିଦ୍ୟୁତ୍ ଆଘାତରେ ଗୋଟିଏ ଝିଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି
ପାରାଦୀପ ଓ ବାଲେଶ୍ୱରରେ ଏଭଳି ଘଟଣା ଘଟିଛି
ପାରାଦ୍ଵୀପ / ବାଲେଶ୍ଵର : ଓଡ଼ିଶାରେ ଦୁଇଟି ପୃଥକ ବିଦ୍ୟୁତ୍ ଆଘାତରେ ଗୋଟିଏ ଝିଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ପାରାଦୀପ ଓ ବାଲେଶ୍ୱରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ପାରାଦୀପ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହିରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଜେଜେବାପା ଓ ପଡ଼ୋଶୀଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ନାବାଳିକାଙ୍କ ନାମ ରାନୁ ବେହେରା ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ରାନୁ ସୁଇଚ ଅନ୍ କରିବାକୁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା। ତାଙ୍କ ଚିତ୍କାର ଶୁଣି ରାନୁଙ୍କ ଜେଜେବାପା, ଭାଇ ଏବଂ ଜଣେ ପଡ଼ୋଶୀ ତାଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଆସିଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିଲା।
ଘଟଣାସ୍ଥଳରେ ରେଣୁଙ୍କ ମୃତ୍ୟୁ ଘଟିଥିବା ବେଳେ ସମସ୍ତେ ବିଦ୍ୟୁତ୍ ଆଘାତରେ ଆହତ ହୋଇଥିଲେ। ଆହତମାନଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ଆହତ ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଅନ୍ୟ ଏକ ଘଟଣାରେ ବାଲେଶ୍ଵରରେ ଘର ନିର୍ମାଣକାର୍ଯ୍ୟରେ ନିୟୋଜିତ ୬ ଜଣ ଶ୍ରମିକ ଫ୍ଲୋରିଂ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତ ଶ୍ରମିକଙ୍କୁ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।