ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବାତ୍ୟା ବିପର୍ଯ୍ୟୟର ସମୀକ୍ଷା ବୈଠକ

ଗୁରୁବାର ସୁଦ୍ଧା ସାମୁଦ୍ରିକ ଝଡ଼ 'ବିପର୍ଯ୍ୟୟ' ଭୟଙ୍କର ରୂପ ନେଇ ଗୁଜରାଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି

ସମ୍ଭାବ୍ୟ ବାତ୍ୟା ପାଇଁ ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି

ଗୁଜୁରାଟ : ଆସନ୍ତା ଗୁରୁବାର ସୁଦ୍ଧା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଭୟଙ୍କର ରୂପ ନେଇ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, କ୍ୟାବିନେଟ୍ ସଚିବ ରାଜୀବ ଗୌବା, ଭୂବିଜ୍ଞାନ ସଚିବ ଏମ୍ ରବିଚନ୍ଦ୍ରନ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ କମଲ କିଶୋର, ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଦିଆଯାଇଥିବା ଉପସ୍ଥାପନା ଅନୁଯାୟୀ, ଆସନ୍ତା ଗୁରୁବାରଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ବହିବା ସହ କଚ୍ଛ, ଦେବଭୂମି ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ଼ ଏବଂ ମୋର୍ବିରେ ଝଡ଼ତୋଫାନ ହୋଇପାରେ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଏହି ଅତି ଭୀଷଣ ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରି ଜୁନ୍ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ମାଣ୍ଡଭି (ଗୁଜରାଟ) ଏବଂ କରାଚୀ (ପାକିସ୍ତାନ) ମଧ୍ୟରେ ସୌରାଷ୍ଟ୍ର ଏବଂ କଚ୍ଛ ଏବଂ ଏହାର ଆଖପାଖ ପାକିସ୍ତାନ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଗୁଜୁରାଟର ଦକ୍ଷିଣ ଓ ଉତ୍ତର ଉପକୂଳରେ ମାଛଧରା କାର୍ଯ୍ୟ କୁ ସ୍ଥଗିତ ରଖାଯାଇଛି ଏବଂ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’କୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ସମୁଦ୍ର କୂଳରେ ଥିବା ଜିଲ୍ଲାଗୁଡ଼ିକର ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧,୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।