ଜୁନାଗଡରେ ଦରଘା ଜବରଦଖଲ ଉଚ୍ଛେଦ ନୋଟିସ୍ ଜାରି: ପୋଲିସ ଉପରକୁ ପଥର ମାଡ
ଗୁଜୁରାଟର ଜୁନାଗଡ ସହରରେ ଏକ ଦରଘା ଜବରଦଖଲ ଉଚ୍ଛେଦ ନେଇ ନୋଟିସ ଜାରି କରାଯିବା ପରେ ଲୋକେ ପୋଲିସ ଉପରକୁ ପଥର ମାଡ କରିବା ସହ ଏକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି
ପଥରମାଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ଜୁନାଗଡ: ଗୁଜୁରାଟର ଜୁନାଗଡ ସହରରେ ଏକ ଦରଘା ଜବରଦଖଲ ଉଚ୍ଛେଦ ନେଇ ନୋଟିସ ଜାରି କରାଯିବା ପରେ ଏହାକୁ ବିରୋଧ କରି ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ କରିବା ସହ ଏକ ଗାଡିରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏ ନେଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯିବା ସହ ବିକ୍ଷୋଭକାରୀଙ୍କ ଉପରକୁ ଲାଠି ପ୍ରୟୋଗ କରାଯାଇଛି ।
ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜୁନାଗଡର ଡେପୁଟି ଏସପି ଓ ଅନ୍ୟ ପୋଲିସ କର୍ମଚାରୀମାନେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ବରଂ ରାତି ୧୦.୧୫ଟା ସୁଦ୍ଧା ପୋଲିସ ଉପରକୁ ପଥର ମାଡ କରାଯାଇଥିଲା । ଏହି ଘଟଣାରେ ଜୁନାଗଡ ଡିଏସପି, ୩ ଜଣ ସବଇନ୍ସପେକ୍ଟର, ଅନ୍ୟ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଜଣେ ସାଧାରଣ ଲୋକଙ୍କର ମୃତୁ୍ୟ ଘଟିଥିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପଥର ମାଡ ଦ୍ୱାରା ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି, କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଏସପି କହିଛନ୍ତି । ତେବେ ଏହି ଘଟଣାରେ ୧୭୪ ଜଣଙ୍କୁ ଗିରଫ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନାନୁଯାୟୀ, ଗତ ଜୁନ ୧୪ ତାରିଖରେ ଜୁନାଗଡ ମହାନଗର ନିଗମ ପକ୍ଷରୁ ମଜେୱାଡି ଦ୍ୱାର ନିକଟରେ ଥିବା ଏକ ମସଜିଦକୁ ଜମିର ମାଲିକାନା ସମ୍ପର୍କରେ କାଗଜପତ୍ର ଦାଖଲ କରିବାକୁ ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟିସକୁ ବିରୋଧ କରି ୫୦୦ରୁ ୬୦୦ ଲୋକ ଏକାଠି ହୋଇ ସେଠାରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଥିଲେ ।