ସ୍କୁଲ ଭିତରକୁ କ୍ୟାମେରା ମନା, ଗଣମାଧ୍ୟମକୁ ବିଦ୍ୟାଳୟ ପ୍ରଵେଶ ନିଷେଧ

ଭୁବନେଶ୍ୱର: ସ୍କୁଲ ଭିତରକୁ କ୍ୟାମେରା ମନା। ଗଣମାଧ୍ୟମକୁ ବିଦ୍ୟାଳୟ ପ୍ରଵେଶ ନିଷେଧ। ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଏଣିକି ଅବାଧରେ ସ୍କୁଲ ଭିତରକୁ ଯାଇପାରିବେନି ସାମ୍ବାଦିକ। ଯଦି କେହି ବାରଣ ସତ୍ତ୍ବେ କ୍ୟାମେରା, ବୁମ୍‌ ଧରି ସ୍କୁଲକୁ ଯିବେ ତେବେ ତାଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ଥାନୀୟ ଥାନାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦିଆଯିବ।

ସରକାରୀ ସ୍କୁଲରେ ପାଠପଢ଼ା ଠିକ୍‌ ଭାବେ ହେଉନି, ପଞ୍ଚମ ଶ୍ରେଣୀ ପିଲାଙ୍କୁ ଦ୍ବିତୀୟ ଶ୍ରେଣୀ ପାଠ ଆସୁନି, ଶିକ୍ଷକ ଆସୁନାହାନ୍ତି, ମଧ୍ୟାହ୍ନ ଭୋଜନରେ ପୋକରା ଡାଲି ଓ ସଢ଼ା ଅଣ୍ଡା ଦିଆଯାଉଛି। ଏହିଭଳି ଭାବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସରକାରୀ ସ୍କୁଲର ଗୁମର ଫିଟାଇବା ପରେ ଗଣଶିକ୍ଷା‌ ବିଭାଗ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ର‌େବଶ ଉପରେ ରୋକ୍‌ ଲଗାଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନେ (ଡିଇଓ) ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି କରିବା ପରେ ବିଇଓମାନେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କହିଛନ୍ତି।

ବିଇଓଙ୍କ ପାଖକୁ ଆସିଥିବା ଚିଠିରେ ଉଲ୍ଲେଖ ଅଛି କିଛି ଲୋକ ନିଜକୁ ସାମ୍ବାଦିକ ବୋଲାଇ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସ୍କୁଲ ଛାତ୍ର ଛାତ୍ରୀ ଏମିତିକି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅପମାନ କଲା ଭଳି ପ୍ରଶ୍ନ କରୁଛନ୍ତି। ପରେ ତାକୁ ଭାଇରାଲ୍ କରୁଛନ୍ତି। ଭିଡ଼ିଓ ରେ ଭିନ୍ନ ଭିନ୍ନ ସ୍ଲଗଦେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅପମାନିତ କରାଉଛନ୍ତି। କିଛି ଟିଭି ଚ୍ୟାନେଲ ଏହି ଭିଡିଓକୁ ପ୍ରସାରଣ କରୁଛନ୍ତି। ଯାହା ଫଳରେ ଭାଇରାଲ୍ ହୋଇଥିବା ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ଆଘାତ ମିଳୁଛି। ଏଭଳି କାମ ନିନ୍ଦନୀୟ।