ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଲା ଭାରତ

ଆର୍ଥିକ ସଙ୍କଟ ଭିତରେ ଛନ୍ଦି ହୋଇପଡ଼ିଥିବା ଶ୍ରୀଲଙ୍କା ସ୍ଥିତି ସଂଗୀନ ହେବାରେ ଲାଗିଛି । ସବୁଠାରୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଜୋରଦାର ବିକ୍ଷୋଭର ଚିତ୍ର ସାମ୍ନାକୁ ଆସୁଛି। ଆଶା କରାଯାଉଥିଲା ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ସ୍ଥିତି ସୁଧୁରିବ । ହେଲେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଲାଣି । ଦେଶରେ ଖାଦ୍ୟାଭାବ ଓ ଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି ଶ୍ରୀଲଙ୍କାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। କର୍ଫ୍ୟୁ ସତ୍ତ୍ୱେ ଲୋକମାନେ ବିକ୍ଷୋଭ କରୁଛନ୍ତି। ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦଶର୍ନକାରୀ ।

ପ୍ରଧାନମନ୍ତ୍ରୀଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ବିକ୍ରମସିଂଘେଙ୍କ ଘରୋଇ ବାସଭନକୁ ପ୍ରତିବାଦକାରୀମାନେ ଧସେଇ ପଶିବା ସହ ନିଆଁ ଲଗାଇ ଦେଇଛନ୍ତି। ଭଙ୍ଗାରୁଜା ମଧ୍ୟ କରିଛନ୍ତି । ତା ପୂର୍ବରୁ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ କବ୍‌ଜା କରି ନେଇଥିଲେ । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ। କେଉଁଠି ଅଛନ୍ତି ଜଣାପଡିନଥିଲେ ମଧ୍ୟ ସେନା ମୁଖ୍ୟାଳୟରେ ଆଶ୍ରୟ ନେଇଥିବା ଅନୁମାନ କରାଯାଉଛି। । ରାଷ୍ଟ୍ରପତି ଭବନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଏହାକୁ ପୂରା ନିୟନ୍ତ୍ରଣକୁ ନେଇଛନ୍ତି ବିକ୍ଷୋଭକାରୀ। ଆଫଗାନ ସ୍ଥିତି ଭଳି ଶ୍ରୀଲଂକାରେ ଦେଖିବାକୁ ମିଳିଛି। ଦେଶର ସରକାର ଜନ ଆକ୍ରୋଶର ଶିକାର ହୋଇଛି।

ଅନ୍ୟପଟେ ଏଭଳି ସ୍ଥିତିରେ ଶ୍ରୀଲଙ୍କା କୁ ସହଯୋଗ ର ହାତ ବଢ଼ାଇଛି ଭାରତ। ପ୍ରକୃତ ବନ୍ଧୁ ଭାବେ ଭାରତ ଆଜି ବି ଶ୍ରୀଲଙ୍କା ସହ ରହିଛି। ଆଗକୁ ଶ୍ରୀଲଙ୍କା ସହିତ ରହିବ ବୋଲି ଭାରତ କହିଛି। ଆର୍ଥିକ ସଂକଟ ଏବଂ ଉଗ୍ର ପ୍ରଦର୍ଶନ ପରେ ବି ବର୍ତ୍ତମାନ ସୁଦ୍ଧା ଦୁନିଆର କୌଣସି ଦେଶ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇ ନାହାନ୍ତି। କିନ୍ତୁ ବଡ଼ ହୃଦୟ ଦେଖାଇ ଶ୍ରୀଲଙ୍କାକୁ ସବୁ ପ୍ରକାର ସାହାଯ୍ୟ କରିବାକୁ କହିଛି ଭାରତ। ଯାହାକୁ ନେଇ ଭାରତକୁ ସବୁ ମହଲରେ ପ୍ରଂସଶା କରାଯାଉଛି।