ନ୍ୟୁୟର୍କ ଜାତିସଂଘ ମୁଖ୍ୟାଳୟରେ ମୋଦି

ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପଡୁଥିବାରୁ ଆମେରିକାର ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବିଶାଳ ଯୋଗ ଶିବିର ଆୟୋଜନ କରାଯାଇଛି

ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଜୁନ ୨୧ରୁ ୨୪ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଅଛନ୍ତି। ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପଡୁଥିବାରୁ ଆମେରିକାର ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବିଶାଳ ଯୋଗ ଶିବିର ଆୟୋଜନ କରାଯାଇଛି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଶିବିରରେ ସାମିଲ ହୋଇଛନ୍ତି। ମୋଦିଙ୍କ ନେତୃତ୍ୱରେ ଜାତିସଂଘ ମୁଖ୍ୟାଳୟରେ ଏହି ଯୋଗ ଶିବିରରେ ୧୮୦ ଦେଶର ପ୍ରତିନିଧି ଏକାଠି ଯୋଗାଭ୍ୟାସ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ରହିଛି “ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ”।
ଯୋଗ ଶିବିରରେ ମୋଦି ନିଜ ଅଭିଭାଷଣ ରଖି କହିଛନ୍ତି, “ଯୋଗ ଭାରତରୁ ଆସିଛି, ଏହା ଭାରତର ବହୁତ ପୁରୁଣା ପରମ୍ପରା। ଯୋଗ ଜୀବନ ଧାରଣର ମାଧ୍ୟମ ଓ ଶୈଳୀ ଅଟେ। ଯୋଗ ଅର୍ଥ ଶାନ୍ତି, ଯୋଗ ଅର୍ଥ ସ୍ୱାସ୍ଥ୍ୟ। ଯୋଗ ମାନସିକ ସ୍ଥିରତା ସହ ଶାରୀରିକ ସୁସ୍ଥତା ମଧ୍ୟ ଆଣିଦିଏ। ଯୋଗ କପିରାଇଟ ମୁକ୍ତ, ପେଟେଣ୍ଟ ମୁକ୍ତ ଓ ଟିକସ ମୁକ୍ତ ମଧ୍ୟ। ଯୋଗ ସବୁଠାରେ କରିହେବ ଏବଂ ଏକାନ୍ତରେ କିମ୍ବା ଏକାଠି ମିଳିମିଶି ମଧ୍ୟ କରିପାରିବେ। ଯୋଗ ସମସ୍ତଙ୍କୁ ଏକାଠି କରିପାରିବ, ଏହା ପ୍ରକୃତରେ ବୈଶ୍ୱିକ। ଯୋଗ ଅର୍ଥ ଯୋଡିବା, ତେଣୁ ଏହା ସମସ୍ତଙ୍କୁ ଯୋଡି ପାରିଛି। ଯୋଗ ଏବେ ସାର୍ବଜନୀନ ହୋଇପାରିଛି। ଯୋଗର ଶକ୍ତି ବିଶ୍ୱ ଶାନ୍ତି ପାଇଁ ଅତ୍ୟନ୍ତ ପ୍ରୟୋଜନ। ତେଣୁ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଯୋଗ ଶକ୍ତିର ଉପଯୋଗ କରିପାରିବା। ଭାରତରୁ ଆସିଥିବା ଯୋଗକୁ ସମର୍ଥନ ଜଣାଇ ଥିବାରୁ ସାରା ବିଶ୍ୱକୁ ଧନ୍ୟବାଦ। ସମସ୍ତେ ଖୁସିରେ ରୁହନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ।”