ତେଲେଙ୍ଗାନାରେ ଖୋଲିଲା ଭାରତର ସର୍ବବୃହତ ଘରୋଇ ରେଳ କୋଚ୍ କାରଖାନା

ହାଇଦ୍ରାବାଦର ରେଙ୍ଗାରେଡ୍ଡୀ ଜିଲ୍ଲାର କୋଣ୍ଡାକଲ ଗ୍ରାମରେ ଭାରତର ସର୍ବବୃହତ ଘରୋଇ ରେଳ କୋଚ୍ କାରଖାନା ଉଦଘାଟିତ ହୋଇଯାଇଛି

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ରେଳ କାରଖାନା ଉଦଘାଟନ କରିଛନ୍ତି

ତେଲେଙ୍ଗାନା: ହାଇଦ୍ରାବାଦର ରେଙ୍ଗାରେଡ୍ଡୀ ଜିଲ୍ଲାର କୋଣ୍ଡାକଲ ଗ୍ରାମରେ ଭାରତର ସର୍ବବୃହତ ଘରୋଇ ରେଳ କୋଚ୍ କାରଖାନା ଉଦଘାଟିତ ହୋଇଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ରେଳ କାରଖାନା ଉଦଘାଟନ କରିଛନ୍ତି । ଏହି କାରଖାନା ତେଲେଙ୍ଗାନାର ମେଧା ସର୍ଭୋ ଡ୍ରାଇଭସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଉଦଘାଟନୀ ସମାରୋହ ଅବସରରେ କହିଛନ୍ତି, ‘‘ତେଲେଙ୍ଗାନାରେ ଏକ ଘରୋଇ କମ୍ପାନୀ ରେଳ କୋଚ୍ ନିର୍ମାଣ କରିବାକୁ ଯାଉଥିବାରୁ ରାଜ୍ୟ ଗର୍ବିତ । କମ୍ପାନୀ ମୁମ୍ବାଇରୁ ମୋନୋ ରେଳ ଅର୍ଡର ପାଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି ।’’
ସୂଚନାନୁସାରେ, ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ୨୦୧୪ ଅନୁଯାୟୀ, ତେଲେଙ୍ଗାନା ଗଠନର ୬ ମାସ ମଧ୍ୟରେ ରେଳ କୋଚ୍ ଫ୍ୟାକ୍ଟ୍ରି ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ୨୦୧୭ରେ ମେଧା ଗ୍ରୁପ୍ ଏକ ଘରୋଇ ରେଳ କୋଚ୍ କାରଖାନା ପ୍ରତିଷ୍ଠା ପାଇଁ ତେଲେଙ୍ଗାନା ରାଜ୍ୟ ଶିଳ୍ପ ଭିତିଭୂମି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ୨୦୨୦, ଅଗଷ୍ଟ ୧୩ରେ ଶିଳ୍ପମନ୍ତ୍ରୀ କେ.ଟି.ରାମା ରାଓ ଏହି କାରଖାନାର ଶିଳାନ୍ୟାସ କରାଯାଇଥିଲା । ମେଧା ପରିଚାଳନା ନିଦେ୍ର୍ଦଶକ କାଶ୍ୟାପ ରେଡ୍ଡୀ ଉଦଘାଟନ ସମାରୋହରେ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦୦ କୋଟି ଟଙ୍କା ବିନିଯୋଗ କରାଯାଇଥିବା ବେଳେ ମୋଟ ପ୍ରସ୍ତାବିତ ନିବେଶ ୮୦୫ କୋଟି ଟଙ୍କା ରହିଛି । ଏହି ପ୍ରକଳ୍ପରେ ୫୫୮ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଭବିଷ୍ୟତରେ ପାଖାପାଖି ୧୦୦୦ ଲୋକଙ୍କୁ ଅତିରିକ୍ତ ନିଯକ୍ତି ଦିଆଯିବ ।