ବାହୁଡିବେ ଆଜି ଜଗା ବଳିଆ

୯ ଦିନ ରହଣି ପରେ ଗୁଣ୍ଡିଚା ମନ୍ଦିର ଆଜି ଫେରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା

ଆଜି ବିଶ୍ୱନିୟନ୍ତାଙ୍କ ବାହୁଡାଯାତ୍ରା

ପୁରୀ: ବାହୁଡିବେ ଆଜି ଜଗା ବଳିଆ । ୯ ଦିନ ରହଣି ପରେ ଗୁଣ୍ଡିଚା ମନ୍ଦିର ଆଜି ଫେରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା । ଏଥିପାଇଁ ରଥ ପ୍ରସ୍ତୁତ, ଚକ ପ୍ରସ୍ତୁତ ଓ ଭକ୍ତ ବି ପ୍ରସ୍ତୁତ । ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ବାହୁଡୁଛନ୍ତି । ଆଜି ଭୋର ୪ଟାରେ ମଙ୍ଗଳ ଆଳତୀ ବିଧି ସମ୍ପନ୍ନ ହେବା ପରେ ପହଣ୍ଡି କରି ପ୍ରଭୁଙ୍କୁ ରଥକୁ ନିଆଯାଉଛି । ଦର୍ପଦଳନରେ ଶ୍ରୀସୁଦର୍ଶନ, ତାଳଦ୍ୱଜରେ ଶ୍ରୀବଳଭଦ୍ର ରଥାରୂଢ ହେଉଛନ୍ତି । ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତି ।
ବାହୁଡା ଯାତ୍ରା ସମୟରେ ତିନି ରଥ ବିଧି ଅନୁଯାୟୀ, ମାଉସୀମା ମନ୍ଦିରରେ କିଛି ସମୟ ଅଟକିବେ । ଏଠାରେ ମହାପ୍ରଭୁ ଓ ବଳଭଦ୍ରଙ୍କୁ ପ୍ରିୟ ଖାଦ୍ୟ ପୋଡପିଠା ଅର୍ପଣ କରାଯିବ । ତେବେ ବାହୁଡା ଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମହାପ୍ରଭୁଙ୍କ ପ୍ରତ୍ୟାବର୍ତନରେ ଯେପରି ବିଳମ୍ବ ନହୁଏ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି ।