ପୁରୀ ଶ୍ରୀମନ୍ଦିରରେ ସିଂହଦ୍ୱାର ରୂପା ଛାଉଣୀ କାର୍ଯ୍ୟ ଶେଷ

ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାରରେ ରୂପା ଛାଉଣୀ କାର୍ଯ୍ୟ ଶେଷ ହୋଇଛି

ପୂର୍ବରୁ ସାତପାହାଚ ଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟା ଦ୍ୱାର, ବିହରଣ ଦ୍ୱାର ଓ ଭୋଗ ମଣ୍ଡପ ରୂପା ଛାଉଣୀ କାର୍ଯ୍ୟ ସରିଛି

ପୁରୀ: ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାରରେ ରୂପା ଛାଉଣୀ କାର୍ଯ୍ୟ ଶେଷ ହୋଇଛି। ବାହୁଡା ଯାତ୍ରା ଓ ପବିତ୍ର ତ୍ରିଦେବୀଙ୍କ ସନ୍ଧ୍ୟା ଦର୍ଶନ ପୂର୍ବରୁ ଏହି କାମ ଶେଷ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏହାକୁ ଠିକ୍ ସମୟରେ ଶେଷ କରାଯାଇଛି। ମୁମ୍ବାଇରୁ ଆସିଥିବା ସ୍ୱତନ୍ତ୍ର କାରିଗରମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ଶେଷ କରିଛନ୍ତି। ପ୍ରାଚୀନ ଉତ୍କଳୀୟ କଳା, କାରୁକାର୍ଯ୍ୟ ଓ ସ୍ଥାପତ୍ୟ ଅନୁଯାୟୀ ଏହି ରୂପା ଛାଉଣୀ କରାଯାଇଛି।

ଏଥିପାଇଁ ମୁମ୍ବାଇର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ଭକ୍ତ ୫୦୦ କେଜି ରୁପା ଦାନ କରିଥିଲେ। ଇସ୍ପାତ ଫ୍ରେମ ଉପରେ ୪ ଇଞ୍ଚ ଚଉଡା ବର୍ମା ଶାଗୁଆନ କାଠରେ ତିଆରି ହୋଇ ରୂପା ପ୍ଲେଟରେ ଦୁଆରକୁ ସଜ୍ଜିତ କରାଯାଇଛି, ଯେଉଁଥିରେ ଶଙ୍ଖ ଓ ପଦ୍ମ ଭଳି ଚିହ୍ନ ରହିଛି। ରୂପା ଛାଉଣୀ ସମୟରେ ଏକାଥରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଥିଲା।

ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଲୋକପ୍ରିୟ ନୀଳାଦ୍ରି ବିଜେ ପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ନଅ ଦିନ ରହଣି ସରିବା ପରେ ରୂପା ଛାଉଣୀ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ଏହା ପୂର୍ବରୁ ସାତପାହାଚ ଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟା ଦ୍ୱାର, ବିହରଣ ଦ୍ୱାର ଓ ଭୋଗ ମଣ୍ଡପକୁ ଉତ୍କଳୀୟ ଢାଞ୍ଚାରେ ରୂପା ଛାଉଣୀରେ ସୂସଜ୍ଜିତ କରାଯାଇ ସାରିଛି। ଆଗାମୀ ଦିନରେ ଶ୍ରୀମନ୍ଦିରର ଅନ୍ୟ ୩ଟି ଦ୍ୱାରକୁ ରୂପାରେ ସଜ୍ଜିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।