ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କୋଲକାତା ଯିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କୋଲକାତା ଯିବେ। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ପଶ୍ଚିମବଙ୍ଗ ବିଜେପିର ସାଂସଦ ଓ ବିଧାୟକମାନଙ୍କ ସହିତ ସାକ୍ଷାତ କରିବେ। ସାଂସଦମାନଙ୍କ ସମର୍ଥନ ହାସଲ କରିବା ପାଇଁ ଦ୍ରୌପଦୀ ଏବେ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି କ୍ରମରେ ସୋମବାର ସନ୍ଧ୍ୟା ପାଖାପାଖି ୭ଟାରେ ସେ କୋଲକାତାରେ ପହଞ୍ଚିବେ।

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାମ୍ନାରେ ଏକ ବଡ଼ ଆହ୍ୱାନ ଦେଖାଦେଇଛି। ମମତାଙ୍କ ସାମ୍ନାରେ ଏବେ ଧର୍ମ ସଙ୍କଟ ହେଉଛି ଯେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ କିମ୍ୱା ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେବେ।

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ସମର୍ଥନ ନକଲେ ଟିଏମସିର କ୍ଷତି ହୋଇପାରେ ଓ ଦଳର ଆଗାମୀ ଲୋକସଭା ନିର୍ବାଚନରେ ଆଦିବାସୀ ଭୋଟରମାନଙ୍କର ଦଳରୁ ଅଲଗା ହେବାର ଭୟ ରହିଛି। ପଶ୍ଚିମବଙ୍ଗରେ ମୋଟ ଜନସଂଖ୍ୟାରୁ ୭ରୁ ୮ ପ୍ରତିଶତ ଆଦିବାସୀ ରହିଛନ୍ତି ଓ ଅନେକ ଆସନରେ ସେମାନେ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି।