ମାଓବାଦୀଙ୍କ ଲଂକାକାଣ୍ଡ; ୯ରୁ ଉର୍ଦ୍ଧ୍ୱ ଗାଡି ପୋଡ଼ିବା ସହ ଛାଡି ଯାଇଛନ୍ତି ଚେତାବନୀ ପୋଷ୍ଟର

ଗତକାଲି ବିଳମ୍ବିତ ରାତିରେ ସେମାନେ ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ପହଞ୍ଚି ଘଟାଇଛନ୍ତି ଲାଲ ତାଣ୍ଡବ

୨ଟି ପ୍ରୋକ୍ଲିନ, ୫ଟି ହାଇୱା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇଛନ୍ତି

ମୁନିଗୁଡ଼ା:-ଦୀର୍ଘଦିନ ପରେ ମାଓବାଦୀଙ୍କ ପଦଧ୍ଵନିରେ ଥରି ଉଠିଛି ବନଭୂମି।ମାଓବାଦୀମାନେ ବିଳମ୍ବିତ ରାତ୍ରରେ ଲଂକାକାଣ୍ଡ ଘଟାଇ ନିଜର ଉପସ୍ଥିତି ଜାହିର କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସେମାନେ ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ପହଞ୍ଚି ଘଟାଇଛନ୍ତି ଲାଲ ତାଣ୍ଡବ। କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ, ୫ଟି ହାଇବା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ଲାଲ ବାହିନୀ। ସୂଚନା ଅନୁଯାୟୀ ଗତ ରାତିରେ ମହିଳା ମାଓବାଦୀଙ୍କ ସମେତ ୧୦ରୁ ଉର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ କ୍ରସରକୁ ଆସି ଏହି ଘଟଣା ଘଟାଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ସୁଚନା ଅନୁଯାୟୀ ପ୍ରଥମେ ୫ଜଣ ମାଓବାଦୀ ସିକୁରୀଟି ସମେତ ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରି ସେମାନଙ୍କୁ ଗେଟ ପାଖରେ ରଖି ସେମାନଙ୍କ ଠାରୁ ମୋବାଇଲ ନେଇଯିବା ପରେ ଅନ୍ୟ ମାଓବାଦୀ ମାନେ କ୍ରସର ବ୍ୟବହୃତ ଗାଡ଼ି ଗୁଡିକୁ ନିଆଁ ଲଗାଇଦେଇଥିଲେ।ଯିବା କ୍ରସର୍ ଦ୍ୱାରା ଘଟୁଥିବା ପ୍ରଦୂଷଣକୁ ନେଇ ଚେତାବନୀ ପୋଷ୍ଟର ଛାଡି ଯାଇଥିଲେ। କ୍ରସର ଦ୍ୱାରା ପରିବେଶ ପ୍ରଦୂଷଣ ସହ ଚାଷ କ୍ଷତି, ଭାରିଯାନ ଯାତାୟତ ଯୋଗୁଁ ରାସ୍ତା ନଷ୍ଟ, ପଥର ବ୍ଲାଷ୍ଟିଂ ଯୋଗୁଁ ପିଲାଙ୍କ ଶ୍ରବଣ ଶକ୍ତି ନଷ୍ଟ ହେଉଥିବା ପୋଷ୍ଟରରେ ଲେଖାଯାଇଥିବା ବେଳେ ଘଟଣା ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ତରଫରୁ ଘଟଣା ଘଟିଥିବା ଉଲ୍ଲେଖ ରହିଛି। ଖବର ପାଇ ମୁନିଗୁଡା ପୋଲିସ ପହଂଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଥିବା ସିକୁରିଟି ଦଳ କହିଛନ୍ତି। ଏହିଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଦୀର୍ଘ ଦିନ ପରେ ମାଓବାଦୀ ମାନଙ୍କ ପଦଧ୍ଵନୀ ଓ ଲଙ୍କାକାଣ୍ଡ ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଏ।