ପୁଣି ଦୁର୍ଘଟଣା ; ବସରେ ନିଆଁ ଲାଗି ୨୫ ମୃତ

ବସର ଟାୟାର ଫାଟି ନିଆଁ ଲାଗି ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ନାଗପୁର-ମୁମ୍ବାଇ ସୁପର ଏକ୍ସପ୍ରେସ ୱେରେ ଘଟିଛି ଦୁର୍ଘଟଣା

ମୁମ୍ବାଇ: ବାରମ୍ବାର ଘଟୁଛି ବସ୍ ଦୁର୍ଘଟଣା। ଏଥର ନାଗପୁର-ମୁମ୍ବାଇ ସୁପର-ଏକ୍ସପ୍ରେସ ୱେରେ ବୁଲଧାନାଠାରେ ଘଟିଛି ଏକ ବଡ଼ ବସ ଦୁର୍ଘଟଣା। ଦୁର୍ଘଟଣାରେ ୨୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବସଟି ନାଗପୁରରୁ ପୁନେ ଅଭିମୁଖେ ଯାତ୍ରା କରୁଥିବା ବେଳେ ବସଟି ଏକ୍ସପ୍ରେସ୍ ୱେ ଡିଭାଇଡରରେ ପିଟି ହୋଇ ଭାରସାମ୍ୟ ହରାଇ ଦେଇଥିଲା, ପରେ ବସରେ ବିସ୍ଫୋରଣ ହେବାରୁ ନିଆଁ ଲାଗିଯାଇଥିଲା। ଏହି ସମୟରେ ସମସ୍ତ ଯାତ୍ରୀ ଫସି ଯାଇଥିଲେ। ଶନିବାର ରାତି ପ୍ରାୟ ୧ଟା ୧୫ ମିନିଟରେ ସିନ୍ଧଖେଡରାଜା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ବସରେ ମୋଟ ୩୩ ଜଣ ଯାତ୍ରୀ ଥିବା ବେଳେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟି ସାରିଛି ଏବଂ ୫ ଜଣ ଆହତଙ୍କୁ ଚିକିତ୍ସା ପାଇଁ ବୁଲଧାନା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଡ୍ରାଇଭରଙ୍କ କହିବା ମୁତାବକ ବସର ଟାୟାର ଫାଟିଯିବାରୁ ବସରେ ନିଆଁ ଲାଗିଯାଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି।