ପରିବା ଦର ଆକାଶ ଛୁଆଁ

ରାଜ୍ୟରେ ପରିବା ଦର ଆକାଶଛୁଆଁ ହୋଇଛି

ରସୁଣ ୧୧୪, ଅଦା ୧୩୦ ଓ ଟମାଟୋ ୧୦୪ ଟଙ୍କା

ଭୁବନେଶ୍ବର: ରାଜ୍ୟରେ ପରିବା ଦର ଆକାଶଛୁଆଁ ହୋଇଛି। ରାଜ୍ୟରେ ବିଭିନ୍ନ ବଜାରରେ ପନିପରିବା ଦର ଭିନ୍ନ ଭିନ୍ନ ଥିବାରୁ ଗ୍ରାହକମାନେ କେବେ ଦର ହ୍ରାସ ପାଇବ ବୋଲି ଅପେକ୍ଷା କରୁଛନ୍ତି। ଆଜିଠାରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହେଉଥିବାବେଳେ ପନିପରିବା ଦର ଆକାଶଛୁଆଁ ହେଉଥିବାରୁ ସାରା ଓଡ଼ିଶାବାସୀ ନିରାମିଷ ଖାଦ୍ୟ ପ୍ରସ୍ତୁତ କରିବାର ବିକଳ୍ପ ଖୋଜୁଛନ୍ତି। ଅନେକ ଲୋକ ଏତେ ଅଧିକ ଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ପ୍ରାୟ ସବୁ ପନିପରିବା ଦର ଆକାଶଛୁଆଁ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟମାଟୋ କିଲୋ ପିଛା ଦର ୧୦୦ରୁ ୧୨୦ ଟଙ୍କା ମଧ୍ୟରେ ରହିଛି। ଫୁଲକୋବି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଭେଣ୍ଡିର ଦାମ୍ ଏବେ ୫୦ରୁ ୬୦ ଟଙ୍କାରେ ପହଞ୍ଚିଛି। ରସୁଣ ୧୧୪ ଟଙ୍କା, ଅଦା ୧୩୦ ଟଙ୍କା ଓ ଟମାଟୋ ୧୦୪ ଟଙ୍କା ରହିଛି। ଏହା ସହ ଗତ କିଛି ଦିନ ତଳେ ଲଙ୍କାର ମୂଲ୍ୟ ୩୦୦ ଟପି ଯାଇଥିଲା ଓଡିଶାରେ ଯାହାର ଏବେ ବଜାର ଦର ୭୨ ଟଙ୍କା ରହିଛି। ସେହିଭଳି ଦିଲ୍ଲୀରେ ଟମାଟୋ କିଲୋ ପିଛା ୧୬୦ରୁ ୧୮୦ ଟଙ୍କା, ଅଦା ୩୦୦ ଟଙ୍କା, କଞ୍ଚା ଲଙ୍କା ୧୨୦ ଟଙ୍କା ଓ ଧନିଆପତ୍ର କିଲୋ ୨୫୦ ଟଙ୍କା ରହିଛି।