ଓଡିଶାରେ ହାତୀ ମୃତ୍ୟୁ ରୋକିବାକୁ ମୋଦିଙ୍କୁ ବ୍ରିଟେନ ସାଂସଦଙ୍କ ଚିଠି

ଏସୀଆନ୍ ହାତୀଙ୍କୁ ସୁରକ୍ଷା ଦେବା ଲାଗି ବ୍ରିଟେନ ସାଂସଦ ଓ କିଛି ପ୍ରସିଦ୍ଧ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି

୩ ବର୍ଷରେ ୨୪୫ ହାତୀଙ୍କ ମୃତ୍ୟୁବରଣ କେବଳ ଓଡିଶାରେ: ବ୍ରିଟେନ ପାର୍ଲିଆମେଂଟାରୀ ସଦସ୍ୟ

ନୂଆଦିଲ୍ଲୀ: ଏସୀଆନ୍ ହାତୀଙ୍କୁ ସୁରକ୍ଷା ଦେବା ଲାଗି ବ୍ରିଟେନ ସାଂସଦ ଓ କିଛି ପ୍ରସିଦ୍ଧ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ବ୍ରିଟିଶ୍ ସାଂସଦ ହେନରୀ ସ୍ମିଥଙ୍କ ସହ ହାଉସ ଅଫ୍ ଲର୍ଡସ ଓ ହାଉସ୍ ଅଫ୍ କମନ୍ସର ୮୫ ଜଣ ସାଂସଦ ମିଳିତ ଭାବେ ମୋଦିଙ୍କୁ ଚିଠି ଲେଖି ହାତୀ ସୁରକ୍ଷା ସହ ମଣିଷ-ହାତୀ ସଂଘର୍ଷ ନିୟନ୍ତ୍ରଣ କରିବାକୁ ଯଥା ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏସୀୟ ହାତୀଙ୍କ ବିଲୋପ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଚିଠି ଲେଖାଯାଇଛି ।
ଚିଠିରେ ଉଲ୍ଲେଖ ଅଛି, ‘‘ରାଷ୍ଟ୍ରପତି ଥରେ କହିଥିଲେ ଯେ ହାତୀ ହେଉଛି ଭାରତର ଐତିହ୍ୟ ପ୍ରାଣୀ । ଏହି ଐତିହ୍ୟର ସଂରକ୍ଷଣ ଆମ ଜାତୀୟ ଦାୟିତ୍ୱ । କିନ୍ତୁ ଦେଶରେ ଯେଉଁଭଳି ଭାବେ ହାତୀ ମୃତ୍ୟୁ ହେଉଛି ତାହା ରାଷ୍ଟ୍ରପତିଙ୍କ ବୟାନର ସମ୍ପୂର୍ଣ୍ଣ ବିପରୀତ । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ୧୨୦୦ ହାତୀଙ୍କର ମୃତ୍ୟୁ ଘଟିଛି । ଆଉ ସେଥିମଧ୍ୟରୁ ଗତ ୩ ବର୍ଷ ମଧ୍ୟରେ କେବଳ ଓଡିଶାରେ ୨୪୫ ହାତୀଙ୍କର ମୃତ୍ୟୁ ଘଟିଛି । ଇଂଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର ଅନୁଯାୟୀ, ଏସୀୟ ହାତୀ ଏକ ବିପନ୍ନ ପ୍ରଜାତି । ସମଗ୍ର ପୃଥିବୀରେ ମାତ୍ର ୪୦,୦୦୦ ଏସୀୟ ହାତୀ ବଳକା ଥିବା ବେଳେ ସେଥିମଧ୍ୟରୁ ୨୭,୦୦୦ହାତୀ କେବଳ ଭାରତରେ ଅଛନ୍ତି । ଭାରତରେ ରେଳପଥ ଓ ସଡକପଥ ଭଳି ଭିତିଭୂମିର ବିକାଶ ପାଇଁ ଖଣି ଖନନ ହେଉଛି । ଯେଉଁଥିପାଇଁ ହାତୀମାନେ ୮୦ ପ୍ରତିଶତ ବାସସ୍ଥାନ ହରାଇ ସାରିଲେଣି । ଆଉ ହାତୀମାନେ ରେଳପଥ ଓ ସଡକପଥକୁ ଆସି ଧକ୍କା ହୋଇ ହାତୀମାନଙ୍କର ମୃତ୍ୟୁ ଘଟୁଛି । ସେହିଭଳି ପ୍ରାକୃତିକ ସମ୍ପଦ ଯଥେଷ୍ଟ ମାତ୍ରାରେ ହ୍ରାସ ପାଉଥିବାରୁ ହାତୀମାନେ ଖାଦ୍ୟ ଓ ପାଣି ନପାଇ ଜଙ୍ଗଲ ବାହାରକୁ ଯାଇ ଜନବସତି ମଧ୍ୟରେ ପ୍ରବେଶ କରୁଛନ୍ତି । ଯାହାଫଳରେ ହାତୀମାନଙ୍କୁ ବେଆଇନ ଭାବରେ ମାରି ଦେଉଛନ୍ତି ଲୋକେ, ଆଉ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ସୃଷ୍ଟି ହେଉଛି ।’’

ଏହି ଚିଠିରେ ବ୍ରିଟିଶ୍ ସାଂସଦ ହେନରୀ ସ୍ମିଥ୍, ହାଉସ୍ ଅଫ୍ ଲର୍ଡସ ଆଣ୍ଡ ହାଉସ୍ ଅଫ୍ କମନ୍ସର ଅନକେ ଭାରତୀୟ ବଂଶୋଦ୍ଭବ ସଦସ୍ୟ ଯଥା ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗ ସଚିବ ଭୂପେନ୍ଦର ଯାଦବ, ପୂର୍ବତନ ଗୃହ ସଚିବ ପ୍ରୀତି ପଟେଲ, ଲର୍ଡ ଢୋଲକିଆ, ବାରୋନେଓ ପ୍ରସାର ଏବଂ ଲର୍ଡ ଶିକ୍ଳାଙ୍କ ସମେତ ଷ୍ଟାର ଟ୍ରେକ ସିରିଜର ହଲିଉଡ କିମ୍ବଦନ୍ତୀ ୱିଲିୟମ ଶତନର ଏବଂ ପ୍ରସିଦ୍ଧ ବ୍ରିଟେନ୍ ଅଭିନେତ୍ରୀ ରୁଲା ଲେନ୍ସକା, ପିଟର ଇଗାନ ଏବଂ ଭାରତୀୟ-କାନାଡିଆନ୍ ହାତୀ ସଂରକ୍ଷକ, ଜୀବବିଜ୍ଞାନୀ ଏବଂ ନାରୀଶକ୍ତି ପୁରସ୍କାର ବିଜେତା ସଙ୍ଗୀତା ଆୟାର ସାମିଲ ଅଛନ୍ତି ।