ଉତ୍ତରକାଶୀ ଜଗନ୍ନାଥ ମନ୍ଦିରକୁ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ: ଧର୍ମେନ୍ଦ୍ର ପ୍ରଧାନ

ସମୁଦ୍ର ପତ୍ତନଠାରୁ ୪୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ମନ୍ଦିରରେ ମନୋରମ ଗାଁ ମଧ୍ୟରେ ସୁରୁଖୁରୁରେ ରୀତିନୀତି ସମ୍ପନ୍ନ କରିବା ନେଇ ମଧ୍ୟ ସେ ଆଲୋଚନା କରିଛନ୍ତି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଉତ୍ତରାଖଣ୍ଡ: ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମୁଦ୍ର ପତ୍ତନଠାରୁ ୪୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ମନ୍ଦିରରେ ମନୋରମ ଗାଁ ମଧ୍ୟରେ ସୁରୁଖୁରୁରେ ରୀତିନୀତି ସମ୍ପନ୍ନ କରିବା ନେଇ ମଧ୍ୟ ସେ ଆଲୋଚନା କରିଥିଲେ। ଏହି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନାରେ ଓଲିଉଡର ଷ୍ଟାର ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ଭାଗ ନେଇଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପ୍ରଚାର ପ୍ରସାର ଏବଂ ଏହି ଅଞ୍ଚଳକୁ ତୀର୍ଥସ୍ଥଳରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେ ତାଙ୍କୁ ପୁରୀକୁ ମଧ୍ୟ ନିମନ୍ତ୍ରଣ କରିଥିଲୁ । ପୁରୀରୁ ଉତ୍ତରାକାଶୀକୁ ଶ୍ରଦ୍ଧାଳୁଙ୍କୁ ତୀର୍ଥଯାତ୍ରାରେ ନେବାପାଇଁ ମଧ୍ୟ ଯୋଜନା କରାଯାଉଛି। ଏହା ଦ୍ୱାରା ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବା ସହ ଉଭୟ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଏକ ନୂଆ ଦିଗ ମିଳିବ।

ଗତ ବର୍ଷ ଡେରାଡୁନ୍ ଯାଇ ସେ ଉତ୍ତରକାଶୀସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ସପ୍ତାହରେ ମାତ୍ର ୩ ଦିନ ମନ୍ଦିରରେ ରୀତିନୀତି ହେଉଥିଲା। ଏ ନେଇ ସେ ସବ୍ୟସାଚୀଙ୍କୁ ଜଣାଇଥିଲେ। ଅଭିନେତା ତାଙ୍କ ପତ୍ନୀଙ୍କ ସହ ଜଗନ୍ନାଥ ମନ୍ଦିର ଯାଇ ନିୟମିତ ଭାବେ କିପରି ରୀତିନୀତି ସମ୍ପାଦନ କରାଯିବ ସେ ବିଷୟରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।

ସବ୍ୟସାଚୀ ଓ ଅର୍ଚ୍ଚିତା ଶତାବ୍ଦୀ ପୁରାତନ ମନ୍ଦିର ଲୋକଲୋଚନକୁ ଆଣିବା ପରେ ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଛି। ସେମାନେ ଗତ ସପ୍ତାହରେ ବାହୁଡ଼ା ଯାତ୍ରାରେ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ମିଶି ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ଏବଂ ସେଠାକାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସବ୍ୟସାଚୀ ୬ ମାସ ପାଇଁ ମନ୍ଦିରର ରୀତିନୀତି ର ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏହି ଘଟଣା ବିଷୟରେ ଭଲ ଭାବେ ଅବଗତ ଅଛନ୍ତି ଏବଂ ସବ୍ୟସାଚୀଙ୍କ ପ୍ରୟାସ ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।