ଫ୍ରାନ୍ସରେ ବ୍ୟବହାର ହେବ ଭାରତର ୟୁପିଆଇ

ଭାରତର ସବୁଠାରୁ ସଫଳ ପେମେଣ୍ଟ ସିଷ୍ଟମ ୟୁପିଆଇକୁ ବ୍ୟବହାର କରିବ ଫ୍ରାନ୍ସ

ଆଇଫିଲ ଟାୱାରରୁ ଆରମ୍ଭ ହେବ ୟୁପିଆଇ : ମୋଦି

ଫ୍ରାନ୍ସ: ଭାରତର ସବୁଠାରୁ ସଫଳ ପେମେଣ୍ଟ ସିଷ୍ଟମ ୟୁପିଆଇକୁ ବ୍ୟବହାର କରିବ ଫ୍ରାନ୍ସ। ଫ୍ରାନ୍ସରେ ୟୁପିଆଇ ବ୍ୟବହାର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରି କହିଛନ୍ତି। ଆଗାମୀ ଦିନରେ ଏହା ଆଇଫିଲ ଟାୱାରରୁ ଆରମ୍ଭ ହେବ, ଅର୍ଥାତ୍ ଭାରତୀୟ ପର୍ଯ୍ୟଟକମାନେ ଏବେ ଟଙ୍କାରେ ଦେୟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୟୁନିଫାଇଡ୍ ପେମେଣ୍ଟ୍ ସିଷ୍ଟମ୍ ବା ୟୁପିଆଇ ବିଷୟରେ ଉଲ୍ଲେଖ କରି କହିଛନ୍ତି।

ଫ୍ରାନ୍ସରେ ପର୍ଯ୍ୟଟକମାନେ ଯେପରି ଖର୍ଚ୍ଚ କରିବେ ସେଥିରେ ଆଉ ଟଙ୍କା ଦେଣନେଣ ନେଇ କୌଣସି ଅସୁବିଧା ହେବ ନାହିଁ। ୟୁପିଆଇ ଜରିଆରେ ଭାରତୀୟ ମୁଦ୍ରାରେ ଖର୍ଚ୍ଚ କରିପାରିବେ। ଭାରତର ୟୁପିଆଇ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଗୋଟିଏ ମୋବାଇଲ ଆପ୍ଲିକେସନରେ ପରିଣତ କରିଥାଏ, ଯାହାକି ଅତ୍ୟନ୍ତ ସହଜସାଧ୍ୟ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନସିପିଆଇ) ୨୦୨୨ରେ ଫ୍ରାନ୍ସର ଦ୍ରୁତ ଏବଂ ସୁରକ୍ଷିତ ଅନଲାଇନ ପେମେଣ୍ଟ ସିଷ୍ଟମ ସହିତ ଲାଇରା ନାମକ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଥିବା ବେଳେ ପ୍ୟାରିସରେ ଭାରତୀୟ ମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଫ୍ରାନ୍ସରେ ଭାରତ ତା’ର ୟୁପିଆଇ ସିଷ୍ଟମ ବ୍ୟବହାର କରିବାକୁ ରାଜି।

ସୂଚନାଯୋଗ୍ୟ, ଚଳିତ ବର୍ଷ ୟୁପିଆଇ ଏବଂ ସିଙ୍ଗାପୁରର ପେନାଓ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହାଫଳରେ ସେଠାରେ ଭାରତର ୟୁପିଆଇ ବ୍ୟବହାର କରାଯାଇ ପାରିବ। ପୂର୍ବରୁ ୟୁଏଇ, ଭୁଟାନ ଏବଂ ନେପାଳ ୟୁପିଆଇ ବ୍ୟବସ୍ଥା କୁ ଆପଣାଇ ସାରିଛନ୍ତି।