ଇତିହାସ ରଚିଲା ‘ଇସ୍ରୋ’: ଚନ୍ଦ୍ରୟାନ-୩ର ଜହ୍ନକୁ ଯାତ୍ରା

ଭାରତର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଶୁକ୍ରବାର ଅପରାହ୍ନ ୨ଟା ୩୫ରେ ନିଜର ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ ଚନ୍ଦ୍ରୟାନ-୩ର ଉତକ୍ଷେପଣ କରି ଇତିହାସ ରଚିଛି

ଚନ୍ଦ୍ରୟାନ-୩ର ସଫଳ ଉତକ୍ଷେପଣ: ଅଗଷ୍ଟ ୨୩ରେ କରିବ ଅବତରଣ

ଆନ୍ଧ୍ରପ୍ରଦେଶ: ଭାରତର ଇତିହାସରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଚନ୍ଦ୍ରୟାନ-୩ ଅଭିଯାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜୁଲାଇ ୧୪ ତାରିଖ ଶୁକ୍ରବାର ଅପରାହ୍ନ ୨ଟା ୩୫ ମିନିଟରେ ସଫଳତାର ସହ ଉଡ଼ାଣ ଭରିଛି।

ବିଶାଳକାୟ ୪୩.୫ ମିଟର ଉଚ୍ଚ ଓ ୬୪୨ ଟନ୍ ଓଜନ ବିଶିଷ୍ଟ LVM3-M4 ରକେଟ ଯୋଗେ ଉତକ୍ଷେପଣ ହୋଇଛି ଚନ୍ଦ୍ରୟାନ-୩। ଆନ୍ଧ୍ରର ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି। ଭୂପୃଷ୍ଠ ଛାଡିବାର ୧୬ ମିନିଟ୍ ପରେ କକ୍ଷପଥରେ ଅବସ୍ଥାପିତ ହୋଇଛି। ଉଡ଼ାଣର ୧୬ ମିନିଟ୍ ପରେ ପ୍ରୋପଲସନ୍ ମଡ୍ୟୁଲ୍ ସଫଳତାର ସହ ରକେଟରୁ ଅଲଗା ହୋଇ ପୃଥିବୀଠାରୁ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବା ସହ ୩୬,୫୦୦ କିଲୋମିଟର ଦୂରରେ ଚନ୍ଦ୍ର କକ୍ଷପଥ ଆଡ଼କୁ ଗତି କରୁଥିବା ଏକ ଇଲିପ୍ଟିକାଲ୍ ଚକ୍ରରେ ପୃଥିବୀକୁ ପ୍ରାୟ ୫-୬ ଥର ପରିକ୍ରମା କରିବ। ସଫଳତାର ସହ ତିନୋଟି ସୋପାନ ଅତିକ୍ରମ କରିଛି ଚନ୍ଦ୍ରୟାନ-୩। ଆସନ୍ତା ଅଗଷ୍ଟ ୫ରେ ଚନ୍ଦ୍ରର ନିକଟତର ହେବା ସହ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ।

ଏହି ଅଭିଯାନରେ ବୈଜ୍ଞାନିକମାନେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବା, ଲ୍ୟାଣ୍ଡର ବ୍ୟବହାର କରି ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ଏବଂ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରିବା ପାଇଁ ଏକ ରୋଭର ବାହାରିବା ସମେତ ବିଭିନ୍ନ ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚନ୍ଦ୍ରୟାନ-୩ର ସଫଳ ଉତକ୍ଷେପଣ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟ୍ୱିଟ କରିଛନ୍ତି “ପ୍ରତି ଭାରତୀୟଙ୍କ ସ୍ୱପ୍ନ ଓ ଅଭିଳାଷକୁ ନେଇ ଉପରକୁ ଉଠିଛି ଚନ୍ଦ୍ରୟାନ-୩। ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ଆମ ବୈଜ୍ଞାନିକଙ୍କ ନିରନ୍ତର କାର୍ଯ୍ୟର ଉଦାହରଣ। ମୁଁ ସେହି ବୈଜ୍ଞାନିକଙ୍କ ଇଚ୍ଛାଶକ୍ତି ଓ ପ୍ରତିଭାକୁ ସଲାମ୍ କରୁଛି।”

ସୂଚନାଯୋଗ୍ୟ, ପୂର୍ବରୁ ୨୦୧୯ରେ ଚନ୍ଦ୍ରୟାନ-୨ ଚନ୍ଦ୍ରକୁ ଯାତ୍ରା କରିଥିଲା। କିନ୍ତୁ ସଫଳ ଅବତରଣ କରି ପାରିନଥିଲା। କୌଣସି ତ୍ରୁଟି ଯୋଗୁଁ କ୍ରାଶ୍ ଲ୍ୟାଣ୍ଡିଂ କରିଥିଲା। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପୁନଃ ଚନ୍ଦ୍ରୟାନ-୩ର ସଫଳ ଅବତରଣ ନେଇ ଆଶା ରଖିଛି।