ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲି ଚାଲି ଗଲେ ଛାତ୍ରଛାତ୍ରୀ

ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦାବି ଜଣାଇବା ପାଇଁ କିଛି ଛାତ୍ରଛାତ୍ରୀ ଚାଲି ଚାଲି ଯାଇଥିବାର ଦେଖିବାକୁ ମିଳିଛି

ଉପଜିଲ୍ଲାପାଳ, ତହସିଲଦାର ବୁଝାଇବାରୁ ଅଧାବାଟରୁ ଫେରିଲେ ଛାତ୍ରଛାତ୍ରୀ

ମୟୂରଭଞ୍ଜ: ରାଜ୍ୟରେ ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ନିଯୁକ୍ତିର ଅଭାବ ଦେଖାଦେଉଛି । ପ୍ରାୟ ସମୟରେ ଗଣମାଧ୍ୟମରେ ଏ ନେଇ ଖବର ମଧ୍ୟ ପ୍ରକାଶ ପାଏ । କିନ୍ତୁ ଏଥର ଏକ ଭିନ୍ନ ଧରଣର ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦାବି ଜଣାଇବା ପାଇଁ କିଛି ଛାତ୍ରଛାତ୍ରୀ ଚାଲି ଚାଲି ଯାଇଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଂଠ ସୁବର୍ଣ୍ଣରେଖା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ । ଏହି ସ୍କୁଲର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡକୁ ଚାଲି ଚାଲି ଯାଉଥିଲେ । କିନ୍ତୁ ଅଧା ବାଟରେ ଉପଜିଲ୍ଲାପାଳ, ତହସିଲଦାର ଓ ଅନ୍ୟ ଅଧିକାରୀମାନେ ବୁଝାସୁଝା କରିବା ପରେ ପିଲାମାନେ ସ୍କୁଲକୁ ଫେରିଥିଲେ ।
ସୂଚନାନୁଯାୟୀ, ସୁବର୍ଣ୍ଣରେଖା ପ୍ରକଳ୍ପ ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ମାତ୍ର ୩ ଜଣ ଶିକ୍ଷକ ଏହି ସ୍କୁଲରେ ଥିବା ବେଳେ ବାରମ୍ବାର ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ଗ୍ରାମବାସୀମାନେ ଦାବି କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଯାହାଫଳରେ ଏଭଳି ଏକ ଭିନ୍ନ ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନେ ଦାବି ଜଣାଇବା ପାଇଁ ଚାଲି ଚାଲି ଯାଇଥିଲେ ।