କଟକରେ ମସଲା ଅପମିଶ୍ରଣ କାରଖାନା ଠାବ

କଟକର ମାଲଗୋଦାମରେ ଅପମିଶ୍ରିତ ମସଲା କାରଖାନା ଠାବ କରାଯାଇଛି ।

ମସଲାରେ ମିଶାଯାଉଥିଲା ଚାଉଳଗୁଣ୍ଡ, ରଙ୍ଗ

କଟକ: ଅପମିଶ୍ରଣ ଖାଦ୍ୟର ହବ୍ ପାଲଟିଛି କଟକ । କେତେବେଳେ ଖାଇବା ତେଲ ତ କେତେବେଳେ ସସ୍ ଆଉ କେତେବେଳେ ନକଲି ଥଣ୍ଡାପାନୀୟ ଯୁକ୍ତ କାରଖାନା ଠାବ କରାଯାଉଛି କଟକରୁ । ଏଥର କିନ୍ତୁ ଅପମିଶ୍ରିତ ମସଲା କାରଖାନା ଠାବ କରାଯାଇଛି । କାରଖାନାରେ ଅପମିଶ୍ରିତ ଲାଲ ଲଙ୍କାଗୁଣ୍ଡ, ହଳଦୀ ଓ ଅନ୍ୟାନ୍ୟ ମସଲା ପ୍ରସ୍ତୁତ କରାଯାଉଥିବାର ଅଭିଯୋଗ ଆସିଛି । କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍ ପୋଲିସ୍ ଓ କଟକ ମହାନଗର ନିଗମର ମିଳିତ ଟିମ୍ କଟକର ମାଲଗୋଦାମ ଅଂଚଳରେ ଥିବା ଏହି ମସଲା ଫ୍ୟାକ୍ଟ୍ରିରେ ଚଢାଉ କରିଛି । ଏହି ଫ୍ୟାକ୍ଟ୍ରିର ମାଲିକଙ୍କୁ ପୋଲିସ ଅଟକ ରଖିଛି ।
ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଏଭଳି ଅପମିଶ୍ରଣ ଖାଦ୍ୟ ସ୍ୱସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରକ । ଏଠାରେ ତିଆରି କରାଯାଉଥିବା ମସଲାରେ ଚାଉଳ ଗୁଣ୍ଡ ଓ ରଙ୍ଗ ମିଶା ଯାଉଥିଲା, ଯାହାକି ଯକୃତ ସମସ୍ୟାର ଏକ ମୁଖ୍ୟ କାରଣ ।