ଲୋକଙ୍କ ପାଖକୁ ସେବା ପହଂଚାଇବାକୁ ସକ୍ରିୟ ରୁହ: ନୂଆ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର

ଆଜି ଲୋକସେବା ଭବନରେ ନିଯୁକ୍ତି ପର୍ବ ଆୟୋଜିତ ହୋଇଯାଇଛି । ଏଥିରେ ନୂତନ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ନିଯୁକ୍ତି ପର୍ବରେ ଯୋଗ ଦେଲେ ୧୨୯ କଲ୍ୟାଣ ଅଧିକାରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ନିଯୁକ୍ତି ପର୍ବ ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗର ୧୨୯ ଜଣ କଲ୍ୟାଣ ଅଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ନୂତନ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ପାଖରେ ସେବା ପହଂଚାଇବା ସର୍ବଦା ତତ୍ପର ରହିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତେ ୫-ଟି ନୀତି ଅନୁସରଣ କରି ସମସ୍ତ ପଦକ୍ଷେପ ପାଇଁ ଅବଗତ ରହିବା ଉଚିତ୍ । ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ସମ୍ପ୍ରଦାୟର ପ୍ରାୟ ୭୫ ପ୍ରତିଶତ ଲୋକଙ୍କ ବିକାଶ ଓ କଲ୍ୟାଣ ଉପରେ ବିଭାଗ ଦୃଷ୍ଟି ଦେବା ଉଚିତ୍ । ରାଜ୍ୟର ସାମଗ୍ରିକ ବିକାଶ ଲକ୍ଷ୍ୟକୁ ଆଗକୁ ବଢାଇବାରେ ଏହାର ଏକ ବଡ ଦାୟିତ୍ୱ ରହିଛି । ସେହିପରି ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ଶିକ୍ଷା ଏକ ଅତ୍ୟାବଶ୍ୟକ ଉପାଦାନ । ତେଣୁ ଶିକ୍ଷା କ୍ଷେତ୍ରରେ ଅଭାବୀ ଏସସି-ଏସଟି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଶିକ୍ଷା ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହା ସହ ଜନଜାତି ଜୀବିକା ମିଶନ ଯୋଜନା ମାଧ୍ୟମରେ ୫୦୦ କୋଟି ଟଙ୍କାର ବଜେଟ୍ ଆବଂଟନ ସହିତ ଆଦିବାସୀଙ୍କ ପାଇଁ ଏହା ଏକ ବୃହତମ ଜୀବିକା ପ୍ରୋତ୍ସାହନ ଯୋଗାଇ ଦିଆଯିବ ।
ଏହି ଅବସରରେ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଉନ୍ନୟନ କମିଶନର ଅନୁ ଗର୍ଗ, ଅନୁସୂଚିତ ଜାତି, ଜନଜାତି ଉନ୍ନୟନ କମିଶନର ଓ ସଚିବ ରୂପା ରୋଶନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।