କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର

ଶନିବାର ସକାଳେ ଯୋବ୍ରାସ୍ଥିତ ମହାନଦୀ କୂଳରୁ ଥାନାରୁ ଫେରାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି

ମୋବାଇଲ ଚୋରି ଅଭିଯୋଗରେ ଥିଲେ ଅଟକ

କଟକ: ଶନିବାର ସକାଳେ ଯୋବ୍ରାସ୍ଥିତ ମହାନଦୀ କୂଳରୁ ଥାନାରୁ ଫେରାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଶଙ୍କରସାନ ବେହେରା, ସେ ବିଡାନାସୀର ବାସିନ୍ଦା ହୋଇଥିବା ବେଳେ ଶୁକ୍ରବାର ପୋଲିସ ତାଙ୍କୁ ମୋବାଇଲ ଚୋରି ଅଭିଯୋଗରେ ଅଟକ ରଖିଥିଲା।

ପୁଲିସ ସୂଚନା ଅନୁଯାୟୀ, ଶଙ୍କର ଥାନାରେ ଜଣେ ସେଣ୍ଟ୍ରିଙ୍କୁ ଠେଲି ଦେଇ ହାଜତରୁ ଫେରାର ହୋଇଯାଇଥିଲେ। କିନ୍ତୁ ଆଜି ସକାଳୁ ଯୋବ୍ରା ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଶଙ୍କରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଥିଲେ।

ମୃତକଙ୍କ ପରିବାର ଲୋକେ ଏଭଳି ଅଘଟଣ ପାଇଁ ପୁଲିସକୁ ଦାୟୀ କରିଛନ୍ତି। ଶଙ୍କରଙ୍କ ମା’ ବାସନ୍ତୀ କହିଛନ୍ତି ଯେ, ନିର୍ଯାତନା ଭୟରେ ସେ ପୁଲିସ ହେପାଜତରୁ ଫେରାର ହୋଇ ନଦୀରେ ବୁଡ଼ି ଯାଇଛନ୍ତି।