ମା’ମାନଙ୍କ ସଶକ୍ତିକରଣରେ ରାଜ୍ୟର ପ୍ରଗତି: ମୁଖ୍ୟମନ୍ତ୍ରୀ

ନାରୀ ସଶକ୍ତୀକରଣ ଏପରି ଏକ ଜିନିଷ ଯାହା ତାଙ୍କ ହୃଦୟର ଅତି ନିକଟତର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ବର: ନାରୀ ସଶକ୍ତୀକରଣ ଏପରି ଏକ ଜିନିଷ ଯାହା ମୁଖ୍ୟମନ୍ତ୍ରୀଙ୍କ ହୃଦୟର ଅତି ନିକଟତର, ଆଜି ବିଜୁ ମହିଳା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜେଡିର ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମହିଳା କାର୍ଯ୍ୟକାରୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ମୁଁ ସବୁବେଳେ କହି ଆସିଛି ଏବଂ ଏହା ମୋର ଦୃଢ ବିଶ୍ବାସ ଯେ ମା’ ମାନଙ୍କ ସଶକ୍ତିକରଣ ବିନା କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ କେବେ ଆଗକୁ ଯାଇ ପାରିବ ନାହିଁ। ନାରୀ ସଶକ୍ତିକରଣ ଆମ ପାଇଁ ଏକ ସ୍ଲୋଗାନ ନୁହେଁ। ଏହା ଆମ ପ୍ରଗତିର ମନ୍ତ୍ର।

ଖୁସିର କଥା, ଆଜି ଆମ ଓଡ଼ିଶାର ମା ମାନେ ସଶକ୍ତ ହୋଇଛନ୍ତି। ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ଦୃଶ୍ୟମାନ ହୋଇଛି। ସେମାନେ ଏବେ ଓଡ଼ିଶାର ବିକାଶରେ ସମାନ ଭାଗୀଦାର। ମା’ ମାନେ ଏବେ ଗାଁ ଗାଁ ରେ ନେତୃତ୍ୱ ନେଇଛନ୍ତି। ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ଆଜି ମା ମାନଙ୍କର ଶକ୍ତି କେନ୍ଦ୍ର ହୋଇ ପାରିଛି। ଧାନ କିଣା ହେଉ ବା, ସହରରେ ଆହାର ସେଣ୍ଟର ପରିଚାଳନା ବା ବିଦ୍ୟୁତ ମିଟର ରିଡିଂ ବା ଜଳ ସାଥୀ ବା 5T ରେ ରୂପାନ୍ତର ହୋଇଥିବା ସ୍କୁଲ ଗୁଡିକର ୱାର୍ଡ଼ ସବୁ ଦାୟିତ୍ଵ ମା’ ମାନେ ବହୁତ ଭଲ ଭାବରେ ବୁଝୁଛନ୍ତି। ଗାଁ ପୋଖରୀରେ ମାଛ ଚାଷ କରୁଛନ୍ତି, ସହରର ଜଳାଶୟର ମରାମତି କରୁଛନ୍ତି। ମିଶନ ଶକ୍ତି କ୍ୟାଫେ ଏବେ ସାରା ରାଜ୍ୟରେ ପୋଷଣର ବାର୍ତ୍ତା ଦେଉଛି। ସବୁ ଭଲ କାମରେ ମା’ ମାନେ ଏବେ ଆଗରେ।

ମା ମାନଙ୍କୁ ଗତ ବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆ ଯାଇଛି। ୨୫୦ କୋଟିରୁ ଅଧିକ ଟଙ୍କାର ଋଣ ପରିଶୋଧ କରାଯାଇଛି। ଏବେ ମା ମାନଙ୍କ ଯୋଗାଯୋଗ ସୁବିଧା ପାଇଁ ଆମେ ସ୍କୁଟର ଯୋଜନା ଆରମ୍ଭ କରିବାକୁ ଯାଉଛୁ। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ। ଯାହାକି ମା’ ମାନଙ୍କ ଗତିଶୀଳତା ବିକାଶରେ ଆହୁରି ଶକ୍ତି ଆଣିବ। ମିଶନ ଶକ୍ତିକୁ ଏବେ ଆମେ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କାମ ଆରମ୍ଭ କରିଛୁ। ମା ମାନଙ୍କୁ ଉଦ୍ୟୋଗୀ କରିବା ପାଇଁ କାମ ଆରମ୍ଭ କରିଛୁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳାଙ୍କ ଅଧିକାର। ତୃଣମୂଳ ସ୍ତରରେ ମହିଳା ସଶକ୍ତ ଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରେ ଏହା କମ୍ ଦେଖିବାକୁ ମିଳୁଛି। ସଂସଦ ଓ ବିଧାନସଭା କ୍ଷେତ୍ରରେ ଏକ ତୃତୀୟାଂଶ ସଂରକ୍ଷଣ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ମହିଳାଙ୍କ ଅଧିକାର ପାଇଁ ବିଜୁ ଜନତା ଦଳ ଗାଁଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ।

ଆପଣମାନେ ସମସ୍ତେ ଆମର ଭଲ କାମ ବିଷୟରେ ଅବଗତ ଅଛନ୍ତି। ବିକାଶର ବାର୍ତ୍ତା, ଲୋକ ସଶକ୍ତୀକରଣର ବାର୍ତ୍ତା, ପ୍ରତ୍ୟେକ ଗାଁ ଓ ପ୍ରତ୍ୟେକ ସହରର ପ୍ରତ୍ୟେକ ଘରକୁ ପହଞ୍ଚାନ୍ତୁ।

ବିଜୁ ଜନତା ଦଳର କାହାଣୀ ହେଉଛି ଓଡ଼ିଶା ର ପରିବର୍ତ୍ତନର କାହାଣୀ। ଲୋକଙ୍କ ସହିତ ରୁହନ୍ତୁ, ଲୋକଙ୍କ ସେବା କରନ୍ତୁ ଏବଂ ଆମ ମହାନ ରାଜ୍ୟର ପରିବର୍ତ୍ତନର ଏଜେଣ୍ଟ ହୁଅନ୍ତୁ ।